ବଜ୍ରପାତରେ ୧୨ ଛେଳି ମୃତ

ଆସିକା/ଦିଗପହଣ୍ଡି/କବିସୂର୍ଯ୍ୟନଗର, ୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ବ୍ଲକର ରିଷିପୁର ଗ୍ରାମ ଉପକଣ୍ଠରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବାରୁ ୧୨ ଛେଳିଙ୍କର ମୃତ୍ୟୁ ଘଟିଥିଲା ବେଳେ ୪ ଦଣ୍ଡୁଆଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ରିଷିପୁର ଗ୍ରାମ ଉପକଣ୍ଠରେ ବାଲିଛାଇ ଗ୍ରାମର ସମ୍ବାରୀ ଗୌଡ଼, ବାବୁଲି ଗୌଡ଼, ବାହାନ ଗୌଡ଼, ବୁଦ୍ଧିରାମ ଗୌଡ ୨୦୦ରୁ ଊର୍ଦ୍ଧ୍ୱ ଛେଳି ଚରାଉଥିଲେ। ଏହି ସମୟରେ ବଜ୍ରପାତ ହେବା ଫଳରେ ୧୨ ଛେଳିଙ୍କର ଘଟଣାସ୍ଥଳରେ ମୃତୁ ଘଟିଥିଲା ବେଳେ କେତେକ ଆହତ ହୋଇଥିଲେ। ସେହିପରି କବିସୂର୍ଯ୍ୟନଗର ବୋରିସିଙ୍ଗି ଗ୍ରାମରେ ମାନସିକଧାରୀଙ୍କ ଧୂଳିଦଣ୍ଡ ପରେ ଖଜୁରି ପୋଖରୀରେ ପାଣିଦଣ୍ଡ ଭାଙ୍ଗିବା ପାଇଁ ଦଣ୍ଡୁଆମାନେ ଯାଇଥିଲେ। ସେହି ସମୟରେ ୧୨ଜଣ ବଜ୍ରପାତର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରେ ଦଣ୍ଡୁଆ ନିରଞ୍ଜନ କାମ୍ପ, ନିରଞ୍ଜନ ନାହାକ, ତ୍ରିନାଥ ସାହୁ ଓ ଭଗବାନ ମହାରଣାଙ୍କ ଅବସ୍ଥା ଗୁରୁତର ରହିଛି।