ସରକାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୨ ପରିବାର ଉଚ୍ଛେଦ

ସିମୁଳିଆ,୧୫।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାରେ ସରକାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସୋମବାର ନୀଳକଣ୍ଠେଶ୍ୱର ମନ୍ଦିର ପାର୍ଶ୍ୱରେ ଥିବା ୧୨ଟି ପରିବାରଙ୍କୁ ଉଚ୍ଛେଦ କରାଯାଇଛି ।
ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଦୀର୍ଘଦିନ ଧରି ସରକାରୀ ଜମିରେ ରହୁଥିବା ଏହି ବସ୍ତି ବାସିନ୍ଦାଙ୍କୁ ନିର୍ଦ୍ଦେଶ ସଂଖ୍ୟା ୭୩୪୪ ଅନୁଯାୟୀ ଉଚ୍ଛେଦ କରାଯାଇଛି। ସରକାରୀ ପ୍ରଶାସନ ଅଧିକାରୀ ରୂପେ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝି, ମାର୍କୋଣା ଆରଆଇ ସାରସୀ ମହାନ୍ତି ଓ ସିମୁଳିଆ ପୋଲିସ ସମେତ ୧ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ। ଶୀତ ଦିନରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବାରୁ ଏହି ବାସିନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ପଲିଥିନ ଜରି ପକାଯାଇ ଏହି ବାସିନ୍ଦାଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ କରାଯିବା ସହିତ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଇଛି। ସେହିପରି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି। ଆର୍‌ଆଇ ସାରସୀ ମହାନ୍ତି କହିଛନ୍ତି, ଏମାନଙ୍କ ମଧ୍ୟରେ ୪ଜଣ ଭୂମିହୀନ ଥିବା ବେଳେ ଅନ୍ୟମାନଙ୍କର ବିଭିନ୍ନ ସ୍ଥାନରେ କିଛି କିଛି ଜମି ରହିଛି। ଅପରପକ୍ଷେ ଖୁବ୍‌ଶୀଘ୍ର ତଦନ୍ତ କରାଯାଇ ଉପଭୋକ୍ତାମାନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି ତହସିଲଦାର ବିଶ୍ୱନାଥ ବିଶ୍ୱାଳ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍କୋଣା ପଞ୍ଚାୟତ ରିଆ ମୌଜାର ଖାତା ନଂ. ୫୫୦, ଖସଡ଼ା ୧୬୮୪ରେ ଥିବା ୨ଏକର ୪୩ଡେସିମିଲ ଜମିରେ ଗତ ୨୩ବର୍ଷ ହେଲା ବିଭିନ୍ନ ୨୫ଟି ପରିବାରର ୧୫୦ଜଣ ଜନସାଧାରଣ ବସବାସ କରିଆସୁଥିଲେ। ପ୍ରତ୍ୟେକବର୍ଷ ତହସିଲ ପକ୍ଷରୁ ନୋଟିସ୍‌ ଜାରି କରାଯାଇ ଖଜଣା ଆଦାୟ କରାଯାଇ ଆସୁଥିଲା।