୭ ସ୍ମାର୍ଟ ରୋଡ୍‌ ପାଇଁ ୧୨କୋଟି

ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍‌ ଫର୍‌ ଅର୍ବାନ ରୋଡ୍‌ ଏକ୍‌ଜିକ୍ୟୁଶନ (ଏସ୍‌ୟୁଆର୍‌ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍‌ ନିର୍ମାଣ କରାଯିବ। ଏଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପୌରସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଢେଙ୍କାନାଳକୁ ଆଦର୍ଶ ସହର ଭାବେ ଘୋଷଣା କରାଯିବା ପରେ ରାସ୍ତାଘାଟ ଉନ୍ନତୀକରଣ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ପୌରାଞ୍ଚଳର ୪, ୫, ୬, ୭, ୧୦ନଂ. ୱାର୍ଡ ଏବଂ ଟାଉନ ପ୍ଲାନିଂ ଅଞ୍ଚଳରେ ମୋଟ ୬.୦୨ କିଲୋମିଟରର ରାସ୍ତା ନିର୍ମାଣ ହେବ। ସ୍ମାର୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ରହିବ। ଖାଲିସ୍ଥାନରେ ପିଲାଙ୍କ ମନୋରଞ୍ଜନ ଲାଗି କ୍ରୀଡ଼ା ଉପକରଣ, ଜିମ୍‌ କରାଯିବ। ସବୁଜ ବନାନୀ ସୃଷ୍ଟି ଲାଗି ଚାରା ରୋପଣ ହେବ। ବରିଷ୍ଠ ନାଗରିକଙ୍କ ପାଇଁ ପାଦଚଲା ରାସ୍ତା ତିଆରି ହେବ ବୋଲି ଯୋଜନା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)ରେ ୫ କୋଟି ୨୭ଲକ୍ଷ ବ୍ୟୟ ଅଟକଳରେ ସହରରେ କ୍ଷୁଦ୍ର ପାର୍କ, ଓପନ ଜିମ୍‌, ଭେଣ୍ଡିଂ ଜୋନ୍‌ କରାଯାଉଛି।ପୌରାଞ୍ଚଳସ୍ଥିତ ୪ ପ୍ରମୁଖ ପୋଖରୀକୁ ନୂଆ ରୂପ ଦିଆଯାଉଛି। କପିଳାସ ପୀଠ ପାଦ ଦେଶରେ ୧୩୫୨ ପହାଚ ଆରମ୍ଭରେ ମହାଦେବଙ୍କ ବିଶାଳ ଗଙ୍ଗାବତରଣ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଜାରିରହିଛି। ଏହାକୁ ବାଦ୍‌ଦେଲେ ଢେଙ୍କାନାଳ ସହରର ୪ ପ୍ରବେଶ ଦ୍ୱାରରେ କଂକ୍ରିଟ ତୋରଣ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଢେଙ୍କାନାଳ ପୌରାଞ୍ଚଳ ସମେତ ପର୍ଯ୍ୟଟନସ୍ଥଳୀ ଉନ୍ନତୀ ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି। ସହରର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି।