ଘର ତଳୁ ୧୨ ପିତ୍ତଳ ମୂର୍ତ୍ତି ଉଦ୍ଧାର

କଟକ ସଦର, ୨୬।୬(ଡି.ଏନ୍‌.ଏ.): କଟକ-ପାରାଦୀପ ରାସ୍ତାପାର୍ଶ୍ୱ ନାହାଭଙ୍ଗା ଗ୍ରାମର ଶମ୍ଭୁନାଥ ବେହେରାଙ୍କ ଘର ଚଟାଣ ତଳୁ ଶୁକ୍ରବାର ୧୨ଟି ପିତ୍ତଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଦୁର୍ଗା, ଗରୁଡ଼ ମୂର୍ତ୍ତି ଓ ଶାଳଗ୍ରାମ ରହିଛି। ପରେ ମୂର୍ତ୍ତିଗୁଡିକ ଶମ୍ଭୁନାଥଙ୍କ ଠାକୁରଘରେ ପୂଜା କରାଯାଉଛି। ଏ ସମ୍ପର୍କରେ ଶମ୍ଭୁନାଥ କହିଛନ୍ତି, ଗୁରୁବାର ରାତିରେ ଶୋଇଥିବାବେଳେ ଘରର ମାଟିତଳେ ଦେବୀଦେବତାଙ୍କ ମୂର୍ତ୍ତି ରହିଥିବା ସ୍ବପ୍ନାଦେଶ ହୋଇଥିଲା। ଉଠିବାବେଳକୁ ଚଟାଣ ଫାଟି ଯାଇଥିଲା। ଶୁକ୍ରବାର ସକାଳେ ଏହି ସ୍ଥାନରେ ପ୍ରାୟ ୯ ଫୁଟ ଖୋଳାଯିବାରୁ ମୂର୍ତ୍ତିଗୁଡିକ ବାହାରିଥିଲା। ଖବରପାଇ ଭୁବନେଶ୍ୱରରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ସହକାରୀ ଅଧୀକ୍ଷକ ପ୍ରତାପ କୁମାର ନାୟକ ଓ ଭାଗୀରଥି ଗଡ଼ତିଆଙ୍କ ସମେତ ୨ କର୍ମଚାରୀ ଶନିବାର ଶମ୍ଭୁନାଥଙ୍କ ଘରେ ପହଞ୍ଚି ମୂର୍ତ୍ତିଗୁଡିକ ଯାଞ୍ଚ କରିବା ସହ ଓଜନ ଓ ଉଚ୍ଚତା ମାପିଥିଲେ। ପରେ ସେଗୁଡିକୁ ସରକାରଙ୍କୁ ବିକ୍ରି କରିଦେବା ପାଇଁ ଶମ୍ଭୁନାଥଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଏଥିରେ ସେ ଅରାଜି ହେବା ସହ ସରକାରୀ ସହାୟତାରେ ଗ୍ରାମରେ ଏକ ମନ୍ଦିର କରାଇ ଠାକୁରଙ୍କ ପୂଜା ପାଇଁ ବ୍ୟବସ୍ଥା କରିବାକୁ ଟିମ୍‌ ସଦସ୍ୟଙ୍କୁ କହିଥିଲେ। ମୂର୍ତ୍ତି ଉଦ୍ଧାର ସମୟରେ କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା ଉପସ୍ଥିତ ଥିଲେ।