ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। ମାଟି ରାସ୍ତାପାର୍ଶ୍ୱରେ ଥିବା ଏକ ଖାଲରେ ୫୬ ବର୍ଷୀୟ ପାତିକା ମାତିଆଙ୍କ ମୃତଦେହ ପଡ଼ିଥିବାବେଳେ ନିକଟରେ ତାଙ୍କ ବାଇକ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁଣପୁର ପୋଲିସ ୧୫ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଗୁଣପୁର ବ୍ଲକ ଗୋଠଳ ପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗ୍ରାମର ପାତିକାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମର ୧୨ ଜଣ ଯୁବକ ସଂଘବଦ୍ଧ ଭାବେ କରିଦେଇଥିଲେ। ଠେଙ୍ଗାରେ ପିଟି ମାରିଦେବା ପରେ ଗ୍ରାମ ନିକଟ ଏକ ମାଟି ରାସ୍ତା ପାର୍ଶ୍ୱରେ ଥିବା ଖାଲ ଭିତରକୁ ବାଇକ ସହ ମୃତଦେହକୁ ଫିଙ୍ଗି ଦେଇଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ସେପ୍ଟେମ୍ବର ୩ତାରିଖରେ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ। ଗୁଣପୁର ଥାନା ଅଧିକାରୀ କେକେ ବିକେ କଅଁର ଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହ ଅନୁସନ୍ଧାନ କୁକୁର ସହାୟତାରେ ତଦନ୍ତ କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢାଇଥିଲେ। ମୃତ ବ୍ୟକ୍ତି ପାତିକା ମାତିଆ ହତ୍ୟାକାଣ୍ଡ ଘଟଣାରେ ୧୨ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କାକିତାରା ଗ୍ରାମର ବିଡିକା ରାମ ଚନ୍ଦ୍ର (୨୨) ବିଡିକା ରମେଶ (୨୩) ବିଡିକା ସନ୍ତୋଷ (୨୧), ଲିଙ୍ଗରାଜ ମାଣ୍ଡାଙ୍ଗି(୨୪), ପାତିକା ମୋଜେଶ(୩୦), ପାତିକା ଯୋଗେନ୍ଦ୍ର(୨୦), ନିମାଲା କୁମାରୁ(୨୧), ବିଡିକା ବଡ଼ମା (୨୦), ରବି ବିଡିକା(୨୫), ବିଡିକା କୈଳାସ (୨୨), ରାମଦାସ ବି ଡିକା (୨୦),ମଣ୍ଡାଙ୍ଗି କେଶବ(୩୫), ପ୍ରମୁଖଙ୍କୁ ଆଜି ପୋଲିସ ଗିରଫ କରିଛି। ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସରଞ୍ଜାମ ସହ ଠେଙ୍ଗାକୁ ପୋଲିସ ଜବତ କରିଛି।
ସୂଚନାନୁଯାୟୀ ମୃତକଙ୍କ ଝିଅ ସାଇଲାଜା ପାତିକା ଓ ତାଙ୍କ ସ୍ତ୍ରୀ ଗତ ଦୁଇ ତାରିଖ ସନ୍ଧ୍ୟାରୁ ପାତିକା ମାତିଆ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଗ୍ରାମ ନିକଟ ଏକ ପୋଖରୀ ଖାଲରେ ମୃତଦେହ ସହ ବାଇକ୍ ପଡ଼ିଥିବା ଦେଖିବାକୁ ପାଇଥିଲେ।

