ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୬ା୯:ଓଟିଏମ୍‌ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାସକ ମଧ୍ୟରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୮କୁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଓଟିଏମ୍‌ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ବେଳେ ଓଟିଏମ୍‌ କର୍ମଚାରୀଙ୍କ କ୍ବାର୍ଟର୍ସଗୁଡ଼ିକରେ ବିଦ୍ୟୁତ୍‌ ସଂଯୋଗ ପ୍ରସଙ୍ଗକୁ ନେଇ ଶୁଣାଣି ହୋଇଥିଲା। ଗୋଟିଏ ମିଟରରେ ୯୦ଟି କ୍ବାର୍ଟର୍ସକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରତ୍ୟେକ କ୍ବାର୍ଟର୍ସକୁ ଗୋଟିଏ ଲେଖାଏ ମିଟର ଲଗାଇବା ସହ ବିଦ୍ୟୁତ୍‌ ସଂଯୋଗ ବାବଦରେ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ପୂର୍ବ ଶୁଣାଣିରେ କମ୍ପାନୀର କେତେଜଣ କର୍ମଚାରୀଙ୍କ କେତେ ଟଙ୍କା ବକେୟା ରହିଛି ତା’ର ତାଲିକା କରିବା ନିମନ୍ତେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତ କରିବାକୁ ହାଇକୋର୍ଟ କହିଥିଲେ। ଓଟିଏମ୍‌ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଜମା କରିଥିବା ନେଇ ଆଡଭୋକେଟ ଜେନେରାଲ ଅଦାଲତଙ୍କୁ ଅବଗତ କରାଇଥିଲେ। ସେହିପରି ଇଡ୍‌କୋ ମଧ୍ୟ ୫କୋଟି ଟଙ୍କା ଡିପୋଜିଟ୍‌ କରିଛି। ଉଲ୍ଲେଖଯୋଗ୍ୟ ଯେ, ଓଟିଏମ୍‌କୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ଅଦାଲତଙ୍କୁ ନିବେଦନ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୪୬ରେ ଓଟିଏମ୍‌ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଏଠାରେ ୧୯୫୦ରୁ କପଡ଼ା ଉତ୍ପାଦନ ଆରମ୍ଭ ହୋଇଥିଲା। ୧୯୮୦ ପର୍ଯ୍ୟନ୍ତ ଏହା ଘରୋଇ କମ୍ପାନୀ ଅଧୀନରେ ପରିଚାଳିତ ଥିଲା। ୧୯୮୧ରେ ଏହା ରାଜ୍ୟ ସରକାରଙ୍କ ଅଧୀନକୁ ଯାଇଥିଲେ ବି ଲାଭ ଦିଗରେ ଅଗ୍ରଗତି କରିପାରୁ ନ ଥିଲା। ୧୯୮୬ପରଠାରୁ କ୍ଷତି ଆରମ୍ଭ ହୋଇ ୨୦୦୧ ଜୁଲାଇ ୩୧ ତାରିଖରେ ଓଟିଏମ୍‌ ଗେଟରେ ତାଲା ପଡ଼ିଥିଲା। ଓଟିଏମ୍‌ ବନ୍ଦ ହେବା ବେଳକୁ ପାଖାପାଖି ୩,୭୦୦ ଶ୍ରମିକ କାର୍ଯ୍ୟ କରୁଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଇତି ମଧ୍ୟରେ ୭ଶହରୁ ଊର୍ଦ୍ଧ୍ୱ ଓଟିଏମ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି।