ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ

ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ ଜାମ୍ବାରିଗୁଡ଼ା ଗ୍ରାମର ଝମାରି ଖିଲ(୬୪)।

ସୂଚନା ଅନୁଯାୟୀ ବୁଧବାର ରାତିରେ ମୁଦୁଲିପଡ଼ା ପୋଲିସ ଟିମ୍‌ ପଟ୍ରୋଲିଂ କରୁଥିଲେ। ପୂଜାରିଗଡ଼ା ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ସୂଚନା ପାଇଥିଲେ। ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ୪ ବସ୍ତା ଗଞ୍ଜେଇ, ୨ ବନ୍ଧୁକ ଏବଂ ବାଇକ୍‌ ଜବତ କରିଥିଲେ। ଏହି ଗଞ୍ଜେଇ ମାଛକୁଣ୍ଡ ଚାଲାଣ କରାଯିବାକୁ ରଖାଯାଇଥିଲା। ଅନ୍ୟ ଦୁଇଜଣ ବ୍ୟକ୍ତି ଜାମ୍ବାରିଗୁଡ଼ା ଗ୍ରାମରେ ଅପେକ୍ଷା କରି କରିଥିଲେ। ପୋଲିସ ଚଢ଼ାଉର ସୂଚନା ପାଇ ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ୪୧/୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।