୧୧୨ ଗ୍ରାମ ବ୍ରାଉନସୁଗର ଜବତ: ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୬।୭: ବ୍ରହ୍ମପୁର ଗୋଦାବରୀଶ ନଗରରେ ଚଢ଼ାଉ କରାଯାଇ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପ୍ରେମ ନଗର ହାଉସିଂ ବୋର୍ଡ଼ର ସାଣ୍ଡି ଓରଫ ସନ୍ଦୀପ ଅଗ୍ରୱାଲ (୩୮)। ମାମଲା ନମ୍ବର ୩୫୩/୨୨-୨୩ ରେ ଅବକାରୀ ପୋଲିସ ତାଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ବ୍ରାଉନ ସୁଗରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁରରେ ବ୍ରାଉନସୁଗର କାରବାର ହେଉଥିବା ଖବର ପାଇ ଅବକାରୀ ଉପ ଆୟୁକ୍ତ (ଦକ୍ଷିଣାଞ୍ଚଳ )ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗୋଦାବରୀଶ ନଗରରେ ଚଢ଼ାଉ କରିଥିଲା। ସନ୍ଦେହ ହେବାରୁ ସାଣ୍ଡିଙ୍କ ବାଇକ୍‌କୁ ଅଟକାଇ ଯାଞ୍ଚ କରିବା ବେଳେ ବାଇକ୍‌ ଡିକିରେ ଥିବା ୧୧୨ ଗ୍ରାମ ବ୍ରାଉନସୁଗର ଜବତ କଟିଥିଲା। ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏଏସଆଇ ବ୍ରଜବିହାରି ନାୟକ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।