ଗଞ୍ଜାମରେ ସୃଷ୍ଟିହେବ ୧୧୦ ଅମୃତ ସରୋବର

ଛତ୍ରପୁର,୨୯ା୮(ଡି.ଏନ୍‌.ଏ): ଦେଶ ପାଳନ କରୁଛି ଅମୃତ ମହୋସତ୍ବ। ଏହି ଅବସରରେ ଦେଶବ୍ୟାପୀ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଅମୃତ ସରୋବର ଖନନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ୧୧୦ଟି ଅମୃତ ସରୋବର ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ପ୍ରତି ବ୍ଲକରେ ୫ଟି ଲେଖାଏଁ ଅମୃତ ସରୋବର ନିର୍ମାଣ ଯୋଜନା ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି। ଜିଲାରେ ୧୫ଟି ସରୋବର ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଉଦ୍‌ଘାଟିତ ହୋଇଯାଇଛି। ଏଥିସହ ଉକ୍ତ ସରୋବର ସମ୍ମୁଖରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରାଯାଇଥିଲା। ଏହି ସରୋବର ନିର୍ମାଣ ହେଲେ ପାନୀୟ ଜଳ ଯୋଗାଣ, ପନିପରିବା ଚାଷ ଓ ଫାର୍ମ ପାଇଁ ଜଳସେଚନ ସୁବିଧା ମିଳିବା ସହ ଭବିଷ୍ୟତରେ ଭୂତଳ ଜଳ ରିଚାର୍ଜ ହୋଇପାରିବ। ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍‌ଆର୍‌ଇଜିଏସ୍‌) ରେ ଏହା ତ୍ୱରାନ୍ବିତ କରାଯାଉଛି। ଏଥିସହ ସରୋବରର ଚତୁଃପାର୍ଶ୍ୱରେ ଗ୍ରାସ ଟର୍ଫ, ବନୀକରଣ ଓ ଫଳ ଗଛ ଲଗାଯିବାକୁ ସ୍ଥିର ହୋଇଛି। ପ୍ରତି ସରୋବର ଏକ ଏକର ଜମିରେ ନିର୍ମାଣ କରାଯାଉଛି ଓ ଏଥିରେ ୧୦ ହଜାର କ୍ୟୁବିକ୍‌ ମିଟର ଜଳ ରହିବା କ୍ଷମତା ରହିଛି। ଏହି କାର୍ଯ୍ୟରେ ୨୦୦ ଲୋକଙ୍କୁ କାମ ମିଳିପାରୁଥିବା କୁହାଯାଇଛି। ଜିଲାର ପ୍ରତି ବ୍ଲକରେ ୫ଟି ସରୋବରରେ ୫୦ ହଜାର କ୍ୟୁବିକ୍‌ ମିଟର ଜଳ ରହିବାକୁ ଥିବାବେଳେ ଏହା ଚାଷୀଙ୍କ ପାଇଁ ଆଉ ଜଳସେଚନ ସମସ୍ୟା ରହିବନି ବୋଲି କୁହାଯାଇଛି। ଏଥିସହ ଗ୍ରାମୀଣ ଲୋକଙ୍କୁ ଜୀବିକା ମିଳିବା ସହ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଗଞ୍ଜାମ ଜିଲା, ବ୍ଲକ ଓ ପଞ୍ଚାୟତରେ ଏହି କାର୍ଯ୍ୟ ସଫଳତାର ସହ ଆଗେଇ ଚାଲିଥିବା ଜିଲାପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କିର୍ତ୍ତିଭାସନ କହିଛନ୍ତି।