ରାୟପୁର,୧୪।୬: ଛତିଶଗଡରେ ଆଜିକୁ ପ୍ରାୟ ୫ ଦିନ ହେବ ବୋରୱେଲ ଭିତରେ ୧୧ ବର୍ଷର ବାଳକ ରାହୁଲ ସାହୁ ଫସିଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ରାହୁଲଙ୍କ ଖୁବ ନିକଟରେ ଅଛନ୍ତି। କିନ୍ତୁ କଠିନ ପଥରର ଆସ୍ତରଣ ଥିବାରୁ ରାହୁଲକୁ ଏଯାବତ ଉଦ୍ଧାର କରାଯାଇପାରୁନି। ରାହୁଲ ରେସପଣ୍ଡ କରୁଛନ୍ତି, ଆଖିପତା ହଲାଉଛନ୍ତି। ତେବେ ଗତକାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନ ଥିବା ଜାଞ୍ଜଗିର-ଚାମ୍ପା ଜିଲାପାଳ ଜିିତେନ୍ଦ୍ର ଶୁକ୍ଳା କହିଛନ୍ତି।
ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲାର ଫିରି ଗାଁରେ ରାହୁଲ ସାହୁଙ୍କୁ ୮୦ ଫୁଟ ଗଭୀର ଗର୍ତ୍ତ ଭିତରୁ ଉଦ୍ଧାର କରିବା ପାଇଁ ଏସ୍ସିଆର୍ଏଫ, ଏନ୍ଡିଆର୍ଏଫ, ସେନା ଓ ଜିଲା ପ୍ରଶାସନ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ରାହୁଲଙ୍କୁ ଯେପରି କିଛି କ୍ଷତି ନ ପହଞ୍ଚେ ସେଥିଲାଗି ସତର୍କତାର ସହ ପଥର କଟିଂ କରାଯାଉଛି। ମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ରହିଛି। ଖୁବଶୀଘ୍ର ରାହୁଲଙ୍କୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦ୍ୱିପ୍ରହର ସମୟରେ ରାହୁଲ ଖେଳୁଥିବା ସମୟରେ ଏହି ବୋରୱେଲରେ ଖସି ପଡିଥିଲେ।


