ମଣ୍ଡିରେ ପଡ଼ିଛି ୧,୦୮,୫୯୦ ବସ୍ତା ଧାନ

ଭେଡ଼େନ,୧୯।୬(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭେଡ଼େନ ବ୍ଲକରେ ମେ’ ୧୨ରୁ ରବିଧାନ କିଣା ଆରମ୍ବ ହୋଇଛି। ତେବେ ରବିବାର ସୁଦ୍ଧା ବ୍ଲକର ୯ଟି ମାର୍କେଟ ୟାର୍ଡ ଏବଂ ୧୫ଟି ଉପକେନ୍ଦ୍ରରେ ୧ଲକ୍ଷ ୮ହଜାର ୫୯୦ ବସ୍ତା ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି। ତନ୍ମଧ୍ୟରୁ ଖୁଣ୍ଟୁଲିପାଲି ମଣ୍ଡିରେ ୧୧୦୦, ପପଙ୍ଗା ୧୩ ହଜାର, ଝରାପାଲି ୧୫ ହଜାର, ଋଷୁଡ଼ା ୬ ହଜାର, ମହୁଲପାଲି ୪୬ ଶହ, ଭେଡ଼େନ, ତେନ୍ତୁଲିଟିକ୍ରା, ରେଶମ, ସହଁରାଟିକ୍ରା ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ଚଳିତ ରବି ଋତୁରେ ଭେଡ଼େନ ବ୍ଲକର ମଣ୍ଡିଗୁଡ଼ିକରୁ ଆଜି ପର୍ଯ୍ୟନ୍ତ ୨୮ଲକ୍ଷ ୬୪ହଜାର ୭୨୧ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ୨୭ଲକ୍ଷ ୫୬ହଜାର ୧୩୧ କୁଇଣ୍ଟାଲ ଧାନ ବିକ୍ରି ହୋଇ ସାରିଛି। ଆଉ କିଛି ଦିନ ପରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆସନ୍ନ ବର୍ଷାକୁ ନେଇ ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଜିଲାରେ ମୋଟ ୮୧ ହଜାର ୭୦୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଅତାବିରା ଆରଏମସି ଅନ୍ତର୍ଗତ ଭେଡ଼େନ ବ୍ଲକରେ ୧୩୦୨୪ ଜଣ ପଞ୍ଜୀକୃତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ ତାରିଖରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ମେ ୬ରେ ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡିଗୁଡ଼ିକୁ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୬ ତାରିଖରେ ଖୋଲି ନ ଥିଲା। ଅଞ୍ଚଳର କେତେକ ଚାଷୀ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ମେ ୧୦ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଥିଲେ। ତେବେ ୧୦ ତାରିଖରେ କେବଳ ଅତାବିରା ବ୍ଲକର ମଣ୍ଡିଗୁଡ଼ିକ ଖୋଲାଯାଇଥିଲା। ଗୋଟିଏ ପଟେ ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ଅନ୍ୟପଟେ ଟୋକନ ଅବଧି ଏକ ମାସ ରଖାଯାଇଛି। କେବଳ ସେତିକି ନୁହେଁ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ଚାଷୀ ଯେମିତି କଟ୍‌ନୀ ଛଟନୀର ଶିକାର ନ ହୋଇ ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ଅଲଗା ଚିତ୍ର ଦେଖିବାକୁ ମିଳୁଛି। କଟନୀ ଛଟନୀ ନ ହେଲେ ମିଲର୍ସ ଧାନ ଉଠାଉ ନାହାନ୍ତି। ଏଫ୍‌ଏକ୍ୟୁ ଆଳ ଦେଖାଇ ମିଲର୍ସ କୁଇଣ୍ଟାଲ ପ୍ରତି ୩ରୁ ୪ କେଜି ଧାନ କାଟୁଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକରେ ଜିଲା ଯୋଗାଣ ଅଧିକାରୀ ଦାଶରଥୀ ସୋରେନ କହିଛନ୍ତି, ବତ୍ତର୍ର୍ମାନ ମଣ୍ଡିଗୁଡ଼ିକରେ ସପ୍ତାହର ୩ ଦିନ ସଂଗ୍ରହ ଏବଂ ୩ ଦିନ ଉକ୍ତ ଧାନ ବିକ୍ରି କରାଯିବା ବ୍ୟବସ୍ଥା କରାଯାଇଛି। ଧାନ ସଂଗ୍ରହକୁ ତ୍ୱରାନ୍ବିତ କରାଯାଇଛି। ମିର୍ଲସଙ୍କୁ ମଧ୍ୟ ଟାର୍ଗେଟ୍‌ ଦିଆଯାଇଛି। ଚାଷୀମାନେ ବ୍ୟସ୍ତ ହେବାର କିଛି ନାହିଁ। ଚାଷୀ ଆରାମରେ ଧାନ ବିକ୍ରି କରିପାରିବେ।