୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ

କଟକ ଅଫିସ,୨୧ା୧: କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍ସ (ଓଟିଏମ୍‌) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଶୁକ୍ରବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆସନ୍ତା ଫେବୃୟାରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଓଟିଏମ୍‌ ଶ୍ରମିକମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛି। ୨ ସପ୍ତାହ ମଧ୍ୟରେ ପ୍ରାପ୍ୟ ପ୍ରଦାନ ଶେଷ କରାଯିବ ବୋଲି ଅଫିସିଆଲ ଲିକ୍ୟୁଡେଟର ହିମାଂଶୁ ଶେଖର ହାଇକୋର୍ଟଙ୍କୁ ପୂର୍ବରୁ ଅବଗତ କରାଇଥିବାବେଳେ ଏପର୍ଯ୍ୟନ୍ତ ତାହା ଶେଷ ହୋଇନାହିଁ। ଏନେଇ ଶୁକ୍ରବାର ଶୁଣାଣି ସମୟରେ ଅଫିସିଆଲ ଲିକ୍ୟୁଡେଟର ଅଦାଲତଙ୍କୁ ଜଣାଇଛନ୍ତି ଯେ, ପ୍ରାପ୍ୟ ପ୍ରଦାନ ପାଇଁ ମୋଟ ୩୦୨୩ ହିତାଧିକାରୀଙ୍କୁ ନୋଟିସ ଦେବା କାର୍ଯ୍ୟ ଚାଲିଛି। ସେମାନଙ୍କ ମଧ୍ୟରୁ ୨୦୦୦ ହିତାଧିକାରୀଙ୍କୁ ନୋଟିସ ଦିଆଯାଇଛି। ୧୬୦୦ ଜଣ ନୋଟିସ ପାଇବା ପରେ ପ୍ରାପ୍ୟ ପାଇବା ପାଇଁ ଅଫିସିଆଲ ଲିକ୍ୟୁଡେଟର ନିକଟରେ ଦାଖଲ କରିସାରିଲେଣି। ୧୦୦୨ ଜଣ ବକେୟା ପ୍ରାପ୍ୟ ପାଇସାରିଲେଣି। ଆଉ ୨୦୦ ଜଣଙ୍କ ପ୍ରାପ୍ୟ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଚାଲୁରହିଛି। ହେଲେ ୪୦୦ ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଛି। ପ୍ରମାଣପତ୍ର ଗ୍ରହଣ କରାଯାଇ ସେମାନଙ୍କ ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନ ନିମନ୍ତେ ଉଦ୍ୟମ କରାଯାଉଛି। ତେବେ ଅଦାଲତ ୧୦୨୬ ଜଣଙ୍କୁ ଏଯାଏ ନୋଟିସ ଦିଆଯାଇ ନ ଥିବା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେହି ହିତାଧିକାରୀଙ୍କ ଠିକଣାରେ ମିଳୁ ନ ଥିବା କାରଣରୁ ସେମାନଙ୍କୁ ନୋଟିସ ଦିଆଯାଇପାରୁନାହିଁ। ତେବେ ମୃତ ହିତାଧିକାରୀ ବା ଠିକଣାଜନିତ ଅସୁବିଧା ହେତୁ ନୋଟିସ୍‌ ଦିଆଯାଇପାରୁ ନ ଥିବା ହିତାଧିକାରୀଙ୍କ ସମ୍ପର୍କରେ ୩ ସପ୍ତାହ ମଧ୍ୟରେ ଅଦାଲତଙ୍କୁ ଅବଗତ କରାଯିବ ବୋଲି ଅଫିସିଆଲ ଲିକ୍ୟୁଡେଟର କହିଛନ୍ତି।