କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ କଲେଜ ପରିସରରେ ୧୦୦ଟି ବିଭିନ୍ନ ପ୍ରଜାତିର ଦେଶଜ ଓ ଔଷଧୀୟ ବୃକ୍ଷ ଚାରାରୋପଣ କରାଯାଇ ପରିବେଶ ସଂରକ୍ଷଣ ଓ ବନୀକରଣର ବାର୍ତ୍ତା ପ୍ରଦାନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ. ସ୍ମରଣିକା ହୋତାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଣଅଧ୍ୟାପକ କର୍ମଚାରୀ, ଏନଏସଏସ ଓ ଏନ୍ସିସି ସେୱଚ୍ଛାସେବୀଙ୍କ ସହ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଯୋଗଦେଇ ଉତ୍ସାହର ସହ ବୃକ୍ଷରୋପଣ କରିଥିଲେ। ଛତ୍ରପୁର ବନବିଭାଗ ପକ୍ଷରୁ ଚାରାଗୁଡ଼ିକ ଯୋଗାଇ ଦିଆଯାଇଥିବା ବେଳେ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡ. ସୁଶାନ୍ତ କୁମାର ସେଠୀ ଏବଂ ମଧୁସୂଦନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବକ୍ତାମାନେ ବୃକ୍ଷରୋପଣକୁ କେବଳ ଏକଦିନିଆ କାର୍ଯ୍ୟକ୍ରମ ନ କରି ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ରହିବାକୁ ଛାତ୍ରୀଛାତ୍ରଙ୍କୁ ଆହୱାନ କରିଥିଲେ। ବନ ମହୋତ୍ସବ ପାଳନ ମାଧ୍ୟମରେ ଗଞ୍ଜାମ କଲେଜ ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଓ ସବୁଜ କ୍ୟାମ୍ପସ ଗଠନ ହୋଇ ପାରିବ ବୋଲି କଲେଜ କର୍ତ୍ତୃପକ୍ଷ ଆସବାଦୀ ଥିବା ଜଣାପଡିଛି।