ଅପଡେଟ ହେବ ୧୦ ବର୍ଷ ପୁରୁଣା ଆଧାରକାର୍ଡ

ଛତ୍ରପୁର,୩୦।୧୧(ଡି.ଏନ.ଏ.): ୧୦ବର୍ଷ ପୁରୁଣା ଆଧାର କାର୍ଡ ଥିଲେ ତୁରନ୍ତ ଅପଡେଟ କରିବାକୁ ପଡିବ ବୋଲି ୟୁଆଇଡିଏଆଇ(ୟୁନିକ ଆଇଡେଟିଂଫିକେସନ ଅଥରିଟି ଅଫ ଇଣ୍ଡିଆ) ସୂଚନା ଜାରି କରିଛି। ଛତ୍ରପୁରସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ ଆଧାର ମନଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ। ଆଧାର ସଂଖ୍ୟା ବ୍ୟକ୍ତିର ପରିଚୟ ପ୍ରମାଣଭାବେ ବ୍ୟବହାର କରାଯାଉଛି । ଏହାକୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକରେ ଲାଭ ପାଇବା ପାଇଁ ବ୍ୟବହାର କରାଯାଉଛି। ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଲୋକଙ୍କ ଆଧାର ତଥ୍ୟକୁ ଅତ୍ୟାଧୁନିକ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ ରଖିବାକୁ ପଡିବ। ଯଦ୍ୱାରା ଆଧାର ପ୍ରମାଣୀକରଣ/ଯାଞ୍ଚରେ କୌଣସି ଅସୁବିଧା ହେବନାହିଁ। ଗତ ୧୦ ବର୍ଷରେ ଯେଉଁମାନେ ଆଧାର ଅପଡେଟ କରିନାହାନ୍ତି ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଅପଡେଟ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଜିଲାରେ ଜିରୋରୁ ୫ ବର୍ଷ ଶିଶୁଙ୍କ ଆଧାର ସଂଖ୍ୟା କମ ରହିଛି। ତେଣୁ ଆଗାମୀ ଦିନରେ ଜିଲା ସମାଜ ମଙ୍ଗଳ ଅଧିକାରୀ ବିଭାଗ ପକ୍ଷରୁ ଏକ ପ୍ଲାନିଂ କରାଯାଇ ଶିଶୁମାନଙ୍କ ଆଧାର କରାଯିବ ଏବଂ ଏହି ସବୁ ଆସନ୍ତା ୩୦ ଦିନରୁ ୪୫ ଦିନରେ ସାରିବାକୁ କୁହାଯାଇଛି । ସେହିପରି ବିଦ୍ୟାଳୟ ସ୍ତରରେ ମଧ୍ୟ ପିଲାମାନଙ୍କ ଆଧାର କାର୍ଡ ଅପଡେଟ କରାଯିବାକୁ ସ୍ଥିର ହୋଇଛି । ଧାନ ମଣ୍ଡିରେ ଚାଷୀମାନେ ଧାନ ବିକ୍ରି ସମୟରେ ସେମାନଙ୍କ ଆଧାର ଅପଡେଟ କରିପାରିବେ। ସେଠାରେ ଏକ ଅପଡେଟ କିଟ ରହିବ । ବୈଠକରେ ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସ, ୟୁଆଇଡିଏଆଇର ରାଜ୍ୟ ଅଫିସର ନିର୍ଦ୍ଦେଶକ ପ୍ରଶାନ୍ତ କକ୍କର ମାହାର, ଗଞ୍ଜାମ ଜିଲା ନୋଡାଲ ଅଫିସର ଓମ ପ୍ରକାଶ ପରିଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଲିଡ ବ୍ୟାଙ୍କ ମ୍ୟାନେଜର,ପୋଲିସ ଡିଏସପି ଅଜୟ ମିଶ୍ର , ଗୁରୁପ୍ରସାଦ ଦୋର ପ୍ରମୁଖ ଉପସ୍ଥିତ ଥିଲେ।