ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର ସଂଶୋଧିତ ସୁବିଧା ପର୍ଯ୍ୟନ୍ତ; ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସମୟସୀମା ଏହି ଜୁଲାଇ ମାସ ସହିତ ଜଡ଼ିତ ଅଛି। ଏହି ସମସ୍ତ ବଡ଼ ଆର୍ଥିକ ପରିବର୍ତ୍ତନ ଚାକିରିଆ, କରଦାତା, କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ସମେତ ସାଧାରଣ ପରିବାରଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଛି।
ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା କିଛି ପ୍ରମୁଖ ଆର୍ଥିକ ପରିବର୍ତ୍ତନଗୁଡ଼ିକ ବିଷୟରେ ତଳେ ବିସ୍ତୃତ ଭାବେ ଦିଆଗଲା:
ଆସେସମେଣ୍ଟ ବର୍ଷ (AY) ୨୦୨୬-୨୭ ପାଇଁ ITR-1 ଏବଂ ITR-2 ଦାଖଲ କରୁଥିବା କରଦାତାଙ୍କ ନିମନ୍ତେ ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୬। ଏହି ସମୟସୀମା ସେହି ସାଧାରଣ ଚାକିରିଆ ଏବଂ ଏଚ୍ୟୁଏଫ୍ (HUF) ମାନଙ୍କ ପାଇଁ ଲାଗୁ ହେବ, ଯାହାଙ୍କ ଆକାଉଣ୍ଟର ଅଡିଟ୍ ଆବଶ୍ୟକ ହୁଏନାହିଁ। ୩୧ ଜୁଲାଇ ସୁଦ୍ଧା ଆଇଟିଆର୍ ଦାଖଲ ନ କଲେ ଲେଟ୍-ଫାଇଲିଂ ଫି’ (ଜରିମାନା), ବାକି ଟ୍ୟାକ୍ସ ଉପରେ ଅତିରିକ୍ତ ସୁଧ ଏବଂ ଆଗାମୀ ବର୍ଷଗୁଡ଼ିକୁ କ୍ଷତି (Losses) ସ୍ଥାନାନ୍ତର କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ୟପଟେ, ଯେଉଁ ଅଣ-ଅଡିଟ୍ ବ୍ୟବସାୟୀ ଏବଂ ପ୍ରଫେସନାଲମାନେ ITR-3 କିମ୍ବା ITR-4 ଦାଖଲ କରନ୍ତି କିମ୍ବା ଯାହାଙ୍କ ଆକାଉଣ୍ଟ ଟ୍ୟାକ୍ସ ଅଡିଟ୍ ଅଧୀନରେ ଆସେ, ସେମାନଙ୍କ ପାଇଁ ଶେଷ ତାରିଖ ୩୧ ଅଗଷ୍ଟ ୨୦୨୬ ରହିଛି।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛି, ଯେଉଁଠାରେ ଗ୍ରାହକମାନେ ସିଧାସଳଖ ୟୁପିଆଇ (UPI) ମାଧ୍ୟମରେ ନିଜ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ଏବଂ ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ। ‘EPFO 3.0’ ର ଏକ ଅଂଶ ଭାବେ ଏହି ତତ୍କାଳ ଉଠାଣ ସୁବିଧା ପ୍ରକ୍ରିୟାକୁ ଅତି ସହଜ ଓ ଶୀଘ୍ର କରିଦେବ। ଜୁଲାଇ ମାସରୁ ଏହି UPI ଭିତ୍ତିକ ପିଏଫ୍ ଉଠାଣ ଆରମ୍ଭ ହେବାର ସମ୍ଭାବନା ରହିଛି।
ଜୁଲାଇ ମାସରେ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ ଏକ ବଡ଼ ଘୋଷଣା ଆଶା କରାଯାଉଛି। ସରକାର ବର୍ଷକୁ ଦୁଇଥର ଡିଏ ସଂଶୋଧନ କରନ୍ତି – ପ୍ରଥମେ ମାର୍ଚ୍ଚ ମାସରେ (ଜାନୁଆରୀ-ଜୁନ୍ ଅବଧି ପାଇଁ) ଏବଂ ଦ୍ୱିତୀୟ ସେପ୍ଟେମ୍ବର/ଅକ୍ଟୋବର ମାସରେ (ଜୁଲାଇ-ଡିସେମ୍ବର ଅବଧି ପାଇଁ)। କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଏହି ଆଗାମୀ ସଂଶୋଧନକୁ ଚାହିଁ ରହିଛନ୍ତି, ଯାହା ମହଙ୍ଗା ସମୟରେ ସେମାନଙ୍କର କ୍ରୟ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିବ।
୧ ଜୁଲାଇରୁ HDFC ବ୍ୟାଙ୍କ ‘Regalia Gold’ କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ ଏୟାରପୋର୍ଟ ଲାଉଞ୍ଜ୍ (Lounge) ଆକ୍ସେସ୍ ନିୟମ ବଦଳିଛି। ପୂର୍ବରୁ ବିନା କୌଣସି ଖର୍ଚ୍ଚ ସୀମାରେ ମିଳୁଥିବା ଏହି ସୁବିଧା ଏବେ ସ୍ପେଣ୍ଡିଂ ଥ୍ରେସହୋଲ୍ଡ (Spending Threshold) ବା ଖର୍ଚ୍ଚ ସୀମା ଅଧୀନରେ ଆସିବ। ନୂଆ ନିୟମ ଅନୁଯାୟୀ, ଗ୍ରାହକମାନେ ଗୋଟିଏ ତ୍ରୈମାସିକରେ (Quarter) ୩ଟି ମାଗଣା ଡୋମେଷ୍ଟିକ୍ ଲାଉଞ୍ଜ୍ ଭିଜିଟ୍ ସୁବିଧା ପାଇବେ, କିନ୍ତୁ ଏଥିପାଇଁ ସେମାନଙ୍କୁ ପୂର୍ବ ତ୍ରୈମାସିକରେ ଅତିକମରେ ୬୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
SBI କାର୍ଡ ପକ୍ଷରୁ ‘PhonePe SBI Card Purple’ ଏବଂ ‘PhonePe SBI Card Select Black’ ଭାରିଆଣ୍ଟଗୁଡ଼ିକ ପାଇଁ ରିୱାର୍ଡ ପଏଣ୍ଟ ପ୍ରୋଗ୍ରାମରେ ପରିବର୍ତ୍ତନ କରାଯାଇଛି, ଯାହା ଜୁଲାଇ ୨୦୨୬ରୁ କାର୍ଯ୍ୟକାରୀ ହେବ। ୧ ଜୁଲାଇରୁ ବିଭିନ୍ନ ବ୍ୟୟ ଶ୍ରେଣୀରେ (Spending Categories) ମିଳୁଥିବା ମାସିକ ରିୱାର୍ଡ ପଏଣ୍ଟ ଉପରେ ଏକ ସର୍ବୋଚ୍ଚ ସୀମା (Cap) ଲାଗୁ କରାଯିବ। ଇନସ୍ୟୁରାନ୍ସ ଏବଂ ଅନ୍ୟାନ୍ୟ ଅନଲାଇନ୍ କାରବାର ଉପରେ ମିଳୁଥିବା ସର୍ବାଧିକ ରିୱାର୍ଡ ପଏଣ୍ଟକୁ ମଧ୍ୟ ହ୍ରାସ କରାଯିବ।
ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ (OMCs) ୧ ଜୁଲାଇରୁ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଘୋଷଣା କରିଛନ୍ତି। ଦିଲ୍ଲୀରେ ଏହି ୧୯ କିଲୋ ସିଲିଣ୍ଡରର ଦାମ୍ ପୂର୍ବର ୩,୧୧୩.୫୦ ଟଙ୍କାରୁ ହ୍ରାସ ପାଇ ଏବେ ୨,୯୩୦ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି।
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଇମେଲ୍ ଆଡ୍ରେସ୍ ଅପଡେଟ୍ କରିବା ପାଇଁ ଲାଗୁଥିବା ଶୁଳ୍କକୁ ଛାଡ଼ କରିଛି। ଏକ ନୂତନ ବିଜ୍ଞପ୍ତିରେ UIDAI କହିଛି ଯେ, ଗ୍ରାହକମାନେ ୧ ଜୁଲାଇରୁ ଆଧାର ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କର ଇମେଲ୍ ଆଡ୍ରେସ୍ ମାଗଣାରେ ଅପଡେଟ୍ କରିପାରିବେ। ବର୍ତ୍ତମାନ ଏଥିପାଇଁ ୭୫ ଟଙ୍କା ଦେବାକୁ ପଡ଼ୁଥିଲା। ଅଧିକରୁ ଅଧିକ ଆଧାର ଧାରୀଙ୍କୁ ସେମାନଙ୍କର ବିବରଣୀ ଅପଡେଟ୍ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଶୁଳ୍କକୁ ୧ ଜୁଲାଇ ୨୦୨୬ ରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ୬ ମାସ ପାଇଁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏକ ନୂତନ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛି, ଯାହା ବ୍ୟାଙ୍କଗୁଡ଼ିକ ଦ୍ୱାରା ବିକ୍ରି ହେଉଥିବା ବୀମା (Insurance) ଏବଂ ନିବେଶ ଯୋଜନା (Investment schemes) ଶୈଳୀକୁ ବଦଳାଇଦେବ। ୧ ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ଏହି ନିୟମ ଗ୍ରାହକଙ୍କ ଆକାଉଣ୍ଟରେ ଅଧିକ ସ୍ୱଚ୍ଛତା ଆଣିବ ଏବଂ ଅଜଣା ଚାର୍ଜେସ୍ କମାଇବ। ଯଦି କୌଣସି ବ୍ୟାଙ୍କ ଆପଣଙ୍କୁ ଭୁଲ୍ ତଥ୍ୟ ଦେଇ ବା ବାଧ୍ୟ କରି କୌଣସି ପ୍ରଡକ୍ଟ ବିକ୍ରି କରେ, ତେବେ କେବଳ ଫର୍ମରେ ଆପଣଙ୍କ ଦସ୍ତଖତ ଥିବା କାରଣରୁ ବ୍ୟାଙ୍କ ଖସିପାରିବ ନାହିଁ ଏବଂ ଏହାକୁ ‘ମିସ୍-ସେଲିଂ’ (Mis-selling) ଭାବେ ଗ୍ରହଣ କରାଯିବ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଭାରତୀୟ ପାସପୋର୍ଟ ଫି’ ବୃଦ୍ଧି କରିବାକୁ ଘୋଷଣା କରିଛି। ବୟସ୍କମାନଙ୍କ ପାଇଁ ସାଧାରଣ ଆବେଦନରେ ୩୬ ପୃଷ୍ଠା ବିଶିଷ୍ଟ ନୂତନ ପାସପୋର୍ଟ କିମ୍ବା ନବୀକରଣ (Renewal) ଶୁଳ୍କ ୧,୫୦୦ ଟଙ୍କାରୁ ବୃଦ୍ଧି ପାଇ ୨,୫୦୦ ଟଙ୍କା ହୋଇଛି। ସେହିପରି ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଫି’ ୨,୦୦୦ ଟଙ୍କାରୁ ୩,୦୦ ଟଙ୍କାକୁ ବୃଦ୍ଧି ପାଇଛି। ତତ୍କାଳ (Tatkaal) ସ୍କିମ୍ ଅଧୀନରେ ୩୬ ପୃଷ୍ଠା ପାଇଁ ଫି’ ୩,୫୦୦ ରୁ ୫,୦୦୦ ଟଙ୍କା ଏବଂ ୬୦ ପୃଷ୍ଠା ପାଇଁ ୪,୦୦୦ ରୁ ୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।
ସରକାର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ ସମସ୍ତ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରକୁ ଅପରିବର୍ତ୍ତିତ ରଖିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ବ୍ୟାପାର ବିଭାଗ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ଯେ, ୧ ଜୁଲାଇରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ସୁଧ ହାର ପୂର୍ବ ତ୍ରୈମାସିକ (ଏପ୍ରିଲ-ଜୁନ୍) ଭଳି ସମାନ ରହିବ।