ଗଞ୍ଜାମକୁ ମିଳିବ ୧୦ କୋଟି

ଛତ୍ରପୁର/ଭଞ୍ଜନଗର,୧୦।୪(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କ ଦ୍ୱାରା କରାଯାଉଥିବା ଉତ୍ତମ କାର୍ଯ୍ୟକୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବା ସକାଶେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତ (ଜିଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ)କୁ ପ୍ରାଥମିକତା ଅଧୀନରେ ୯ଟି ବିଷୟ ବସ୍ତୁ ଉପରେ ଅନୁଧ୍ୟାନ କରି ସେମାନଙ୍କର ଉତ୍ତମ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରାଯାଇଆସୁଛି । ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକର ଏହି ୯ଟି ବିଭାଗ ମଧ୍ୟରେ ଦାରିଦ୍ର୍ୟ ମୁକ୍ତ ଏବଂ ବର୍ଦ୍ଧିତ ଜୀବିକା, ସୁସ୍ଥ, ଶିଶୁ ବନ୍ଧୁ, ପର୍ଯ୍ୟାପ୍ତ ଜଳ, ସ୍ବଚ୍ଛ ଏବଂ ସବୁଜ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି, ସାମାଜିକ ସୁରକ୍ଷିତ, ଉତ୍ତମ ଶାସନ, ମହିଳା ଅନୁକୁଳ। ଏଥିସହ କାର୍ବନ ନିରପେକ୍ଷ ଏବଂ ଗ୍ରାମ ଊର୍ଜା ସ୍ବରାଜ ପୁରସ୍କାର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ପ୍ରଦର୍ଶନ ଆଧାରରେ ଗଞ୍ଜାମ ଜିଲା ପରିଷଦ ଓ ହିଞ୍ଜଳିକାଟୁ ବ୍ଲକ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ମୋଟ ଉପରେ ଓଡିଶା ଜାତୀୟ ପଞ୍ଚାୟତ ପୁରସ୍କାର ଅଧୀନରେ ୮ ଟି ପୁରସ୍କାର ଘୋଷିତ ହୋଇଛି। ଏଥିପାଇଁ ନଗଦ ପୁରସ୍କାର ରାଶି ମଧ୍ୟ ରହିଛି । ସେହି ଅନୁସାରେ ଗଞ୍ଜାମ ଜିଲା ପରିଷଦକୁ ସର୍ବଭାରତୀୟ ସ୍ତରରେ ପ୍ରଥମ ର଼୍ୟାଙ୍କ ହାସଲ କରିଥିବାରୁ ୫ କୋଟି ପୁରସ୍କାର ମିଳିବ। ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ଶ୍ରେଷ୍ଠ ପଞ୍ଚାୟତ ଭାବେ ହିଞ୍ଜିଳିକାଟୁ ବ୍ଲକ ପ୍ରଥମ ସ୍ଥାନ ରଖିଛି, ଯାହାକୁ ୨ କୋଟି ଟଙ୍କା ପୁରସ୍କାର ମିଳିବ। ସ୍ବାସ୍ଥ୍ୟ ପଞ୍ଚାୟତ ଭାବେ ହିଞ୍ଜିଳିକାଟୁ ବ୍ଲକ କଞ୍ଚୁଡୁ ୭୫ ଲକ୍ଷ, ଶାସନଆମ୍ବ ଗାଁ ‘ସଫା ଓ ସବୁଜମୟ’ ଗ୍ରାମ ଭାବେ ୭୫ ଲକ୍ଷ, ଭଞ୍ଜନଗର ବ୍ଲକ କୁଲାଡ ପଞ୍ଚାୟତକୁ ୭୫ ଲକ୍ଷ, ପାତ୍ରପୁର ବ୍ଲକ ଆଙ୍କୁଲୀ ପଞ୍ଚାୟତକୁ ୭୫ ଲକ୍ଷ ଅର୍ଥ ରାଶି ପ୍ରଦାନ ସହିତ ଓ ସମ୍ମାନିତ କରାଯିବ। ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ଜିଲା ପ୍ରଶାସନ ସହିତ ବ୍ଲକ ଏବଂ ପଞ୍ଚାୟତର ସମସ୍ତଙ୍କୁ ନିରନ୍ତର ସହାୟତା କରିଥିବା ଯୋଗୁ ଜିଲା ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି।