ପ୍ରଥମ ଲକ୍‌ଡାଉନ୍‌କୁ ପୂରିଲା ବର୍ଷେ

ଉହାନ,୨୪।୧: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସେଠାରେ ୨୦୨୦ ଜାନୁୟାରୀ ୨୩ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବରୁ ଲକ୍‌ଡାଉନ୍‌ ବିଷୟରେ ଅବଗତ ନ ଥିଲେ ବିଶ୍ୱବାସୀ। ହେଲେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଭିତରେ ରହିଥିଲେ। ରାସ୍ତାଘାଟ ଶୂନଶାନ୍‌ ପାଲଟିଥିଲା। ସମଗ୍ର ଦେଶ ସହ ଉହାନର ସମ୍ପର୍କ ଛିନ୍ନ ହୋଇଥିଲା। ସେତେବେଳର ପରିସ୍ଥିତିକୁ ମନେ ପକାଇବାକୁ ଏବେ ବି ସେଠାକାର ଲୋକମାନେ ଡରୁଛନ୍ତି।

ଏହି ଲକ୍‌ଡାଉନ୍‌କୁ ରବିବାର ବର୍ଷେ ପୁରିଛି। ସେଦିନ ଦିନ ଦୁଇଟା ସମୟରେ ଲୋକମାନଙ୍କ ସ୍ମାର୍ଟଫୋନକୁ ଏକ ମେସେଜ୍‌ ପଠାଯାଇଥିଲା। ସେମାନଙ୍କୁ ୭୬ ଦିନ ଯାଏ ଚାଲିବାକୁ ଥିବା ଲକ୍‌ଡାଉନ୍‌ ବିଷୟରେ ସୂଚନା ଦିଆଯାଇଥିଲା। ପାଖାପାଖି ୧ କୋଟି ୧୦ ଲକ୍ଷ ଜନସଂଖ୍ୟା ଥିବା ଏହି ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା। ହେଲେ ଏବେ ପରିସ୍ଥିତି ବଦଳିଛି। ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସିଛି। ଟିକାକରଣ ଲୋକମାନଙ୍କ ମଧ୍ୟରେ ନୂଆ ଆଶା ମଧ୍ୟ ସଂଚାର କରିଛି।

Share