ବାଇକ୍‌ ଡିକିରୁ ୧ ଲକ୍ଷ ଲୁଟ୍‌, ମିଳିଛି ସିସିଟିଭି ଫୁଟେଜ୍‌; ମିଳୁନି ସୁରାକ

ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍‌ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ସେଥିରେ ଘଟଣା ବେଳର ଦୃଶ୍ୟ ରେକର୍ଡ ହୋଇଛି। ହେଲେ ଲୁଟ୍‌ ଘଟଣାର ସପ୍ତାହକ ପରେ ମଧ୍ୟ ପୋଲିସକୁ କୌଣସି ସୁରାକ ମିଳିପାରିନାହିଁ। ଯାହାକି ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ ହୋଇଥିଲେ ମଧ୍ୟ ପୋଲିସ ହାତରେ ସେମିତି କିଛି ଠୋସ୍‌ ସୁରାକ ଅଦ୍ୟାବଧି ଲାଗିନାହିଁ।

ସୂଚନାଯୋଗ୍ୟ, ଆସିକା ରୋଡ୍‌ ପାଣିଗ୍ରାହୀପେଣ୍ଠ ଗଣପତିନଗରର କାଳୀପ୍ରସାଦ ସାହୁ ଏକ ଫଳ ଦୋକାନରେ କାମ କରନ୍ତି। ପ୍ରତ୍ୟେକ ଶନିବାର ସେ ପଲାସା ଯାଇ ବ୍ୟବସାୟ ବାବଦ ବକେୟା ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ରଖିଥାନ୍ତି। ଗତ ଶନିବାର ସେ ପଲାସାର ବ୍ୟବସାୟୀମାନଙ୍କ ଠାରୁ ବକେୟା ଟଙ୍କା ବାବଦକୁ ୧ ଲକ୍ଷ ୬୦ ହଜାର ଟଙ୍କା ଆଣି ବ୍ରହ୍ମପୁର ଧର୍ମନଗରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କକୁ ଜମା କରିବାକୁ ଯାଇଥିଲେ। ବ୍ୟାଙ୍କ ସମ୍ମୁଖରେ ବାଇକ ରଖି ଡିକିରେ ଥିବା ୧ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟରୁ ୫୦ ହଜାର ଟଙ୍କା ବ୍ୟାଙ୍କରେ ରଖିବା ପାଇଁ ନିଜ ପକେଟରେ ରଖିଥିଲେ। ବଳକା ଟଙ୍କା ସେ ବାଇକ ଡିକିରେ ରଖି ତାଲା ପକାଇ ଦେଇଥିଲେ। ହେଲେ ସେ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରି ଫେରିବା ପରେ ବାଇକ ଡିକି ଖୋଲାଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ କରିବା ବେଳେ ସେ ଡିକିରେ ରଖିଥିବା ୧ ଲକ୍ଷ ୧୦ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା। ଏ ନେଇ କାଳୀପ୍ରସାଦ ଟାଉନ ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ବ୍ୟାଙ୍କର ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛ।