ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୨ା୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାଏବ କରି ଦେଉଛନ୍ତି। ସହରରେ ପୁଣିଥରେ ଏଭଳି ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ବାହାନାରେ ୧ ଲକ୍ଷ ୯୧ ହଜାର ୫୫ଟଙ୍କା ଲୁଟ ହୋଇଛି। ଠକେଇର ଶିକାର ହୋଇଥିବା ମହିଳା କେ. ଇନ୍ଦୁ ଏନେଇ ସାଇବର ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ନଂ.ରେ ୩୨/୨୨ରେ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
ସୂଚନା ଅନୁସାରେ, ଖାଳସୀ ସାହିର କେ. ଶ୍ରୀନୁଙ୍କ ସ୍ତ୍ରୀ କେ. ଇନ୍ଦୁଙ୍କ ମୋବାଇଲକୁ ଗତ ୪ ତାରିଖରେ ଜଣେ ବ୍ୟକ୍ତି ଫୋନ କରିଥିଲେ। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ବକେୟା ବିଲ୍‌ ପୈଠ ନ କଲେ ସଂଯୋଗ ବିଚ୍ଛିନ୍ନ ହୋଇଯିବ ବୋଲି ସେ କହିଥିଲେ। ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରିବାକୁ କହି ତାଙ୍କର ଏଟିଏମ୍‌ କାର୍ଡ ନମ୍ବର ସହିତ ଅନ୍ୟ ତଥ୍ୟ ମାଗିଥିଲେ। ଏହାର କିଛି ସମୟ ପରେ ଇନ୍ଦୁଙ୍କ ମୋବାଇଲକୁ ଟଙ୍କା ଉଠାଣ ନେଇ ମେସେଜ ଆସିଥିଲା। ଇନ୍ଦୁଙ୍କ ଅଜାଣତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୧ଲକ୍ଷ ୯୧ ହଜାର ୫୫ ଟଙ୍କା ଉଠାଣ ହୋଇଥିବା ନେଇ ସେ ଜାଣିବାକୁ ପାଇଥିଲେ। ଠକେଇର ଶିକାର ହୋଇଥିବା ମହିଳା ଜଣଙ୍କ ଘଟଣା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା ସାଇବର ଥାନାରେ ୩୨ଟି ମାମଲା ରୁଜୁ ହୋଇ ସାରିଲାଣି।