୨୧୧ ନିର୍ମାଣ ଶ୍ରମିକଙ୍କୁ ମିଳିଲା ୧.୭୯ କୋଟି

ସୋନପୁର,୨୨।୧(ନି.ପ୍ର.):  ସୁବର୍ଣ୍ଣପୁର ଜିଲା ଶ୍ରମ ବିଭାଗ ପକ୍ଷରୁ ସୋନପୁର ନୂତନ ଟାଉନ ହଲ ପରିସରରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଶନିବାର ଆୟୋଜିତ ହୋଇଯାଇଛି। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନେ ରାଜ୍ୟ ନିର୍ମାଣର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଏହି ଅବସରରେ ଜିଲାର ୨୧୧ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୧ କୋଟି ୭୯ ଲକ୍ଷ ୩୫ ହଜାର ଟଙ୍କାର ସହାୟତା ରାଶି ଅନଲାଇନରେ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷା ମିଶ୍ର ହିତାଧିକାରୀଙ୍କୁ ଡେମୋ ଚେକ୍‌ ପ୍ରଦାନ କରିଥିଲେ। ଏହି ଶିବିରରେ ୭୫ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ଓ ୨ଲକ୍ଷ ଟଙ୍କା ଲେଖାଏ ମୃତ୍ୟୁ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ୧୨ ଜଣ ମହିଳା ଶ୍ରମିକଙ୍କୁ ୧୦ ହଜାର ଟଙ୍କା ଲେଖାଏ ପ୍ରସୂତୀକାଳୀନ ସହାୟତା, ୪୮ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏ ବିବାହ ସହାୟତା ଓ ଶ୍ରମିକ ପରିବାରର ତ୍ରିନାଥ ମହାନନ୍ଦଙ୍କୁ ଉଚ୍ଚତର ଶିକ୍ଷା ପାଇଁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଅଧ୍ୟକ୍ଷା ମିଶ୍ର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଓଡିଶା ସରକାରଙ୍କ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ମିଳୁଥିବା ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରକୃତ ନିର୍ମାଣ ଶ୍ରମିକମାନେ ନିଜ ନାମ ପଞ୍ଜିକୃତ କରି ସରକାରଙ୍କ ବିଭିନ୍ନ ସହାୟତା ନେବାକୁ ମିଶ୍ର ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଶି ପୁନମ ମିଞ୍ଜ, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସି ତାମସ୍ବିତା ନାୟକ, ଜିଲା ପରିଷଦ ସଭ୍ୟ ମଧୁସୂଦନ ଓତା, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍‌, ଜିଲା ଶ୍ରମିକ ସଂଗଠନ ସମନ୍ବୟ ସମିତିର ସଭାପତି ଗୋବିନ୍ଦ ମହାରଣା ଓ ସହକାରୀ ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ ଯୋଗଦାନ କରିଥିଲେ। ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ସଭାରେ ଅଧ୍ୟକ୍ଷତା କରି ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ପ୍ରସୂତୀ କାଳୀନ ସହାୟତା, ଶିକ୍ଷାବୃତ୍ତି ସହାୟତା, ବିବାହ ସହାୟତା, ଯନ୍ତ୍ରପାତି କ୍ରୟ ସହାୟତା ଓ ମୃତ୍ୟୁ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ସୁଚିସ୍ମିତା ପାତ୍ର ସଭାକୁ ସଂଯୋଜନା କରିଥିଲେ। ସୁବର୍ଣ୍ଣପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ଓ ବିଭିନ୍ନ ଟ୍ରେଡ୍‌ ୟୁନିୟନର କର୍ମକର୍ତ୍ତା ଯୋଗ ଦେଇଥିଲେ ।