ମୋବାଇଲ୍‌ ଚୋରି ପରେ ଆକାଉଣ୍ଟରୁ ଚାଲିଗଲା ୧.୨୫ ଲକ୍ଷ

ବ୍ରହ୍ମପୁର ଅଫିସ,୨୮।୧୦: ଗଞ୍ଜାମ ଜିଲାରେ ସାଇବର ଠକ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରି ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାରେ ଲାଗିଛନ୍ତି। ଠକ ଜଣଙ୍କ ଜାଲରେ ଡାକ୍ତର, ଶିକ୍ଷାବିତ୍‌ ଓ ପାଠପଢୁଆ ଯୁବକ ମଧ୍ୟ ଛନ୍ଦି ହୋଇପଡୁଛନ୍ତି। ଅନ୍ୟପକ୍ଷେ ସାଇବର ପୋଲିସ ଠକଙ୍କ ସୁରାକ ପାଇପାରୁ ନାହିଁ। ଜଣେ ଫାର୍ମାସିଷ୍ଟଙ୍କ ମାର୍କେଟରେ ମୋବାଇଲ୍‌ ଫୋନ ଚୋରି ହୋଇଯାଇଥିଲା। ଏହାର ଗୋଟିଏ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ ଜମାଖାତାରୁ ୧୦ଟି ଅଣ ସ୍ବୀକୃତିପ୍ରାପ୍ତ ଅନଲାଇନ୍‌ ନେଣଦେଣ ହୋଇ ୧.୨୫ ଲକ୍ଷ ଉଠାଇ ନେଇଥିବା ଜଣାପଡିଛି। ଏହା ଜାଣିବା ପରେ ଫାର୍ମାସିଷ୍ଟ ଜଣକ ସାଇବର୍‌ ଓ ଅର୍ଥନୈତିକ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୪୫/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ, ଭଞ୍ଜନଗର ଥାନା ଭେଜିପୁଟ ଅଞ୍ଚଳର ସୁକାନ୍ତ କୁମାର ବିଷୋୟୀ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ହରିବନ୍ଧୁ ଆପାର୍ଟମେଣ୍ଟରେ ରହୁଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବେ କାମ କରନ୍ତି। ସୁକାନ୍ତ ଗତ ୨୪ ତାରିଖ ସକାଳେ ଦୀପାବଳି ପାଇଁ ଆତସବାଜି ସହ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ନିକଟସ୍ଥ ଆଙ୍କୋଲି ଶିଳ୍ପାଞ୍ଚଳରେ ଥିବା ସ୍ଥାନୀୟ ବଜାରକୁ ଯାଇଥିଲେ। ତେବେ ତରବର ହୋଇ ସେଠାରେ କୌଣସି ଏକ ଦୋକାନରେ ନିଜ ମୋବାଇଲ୍‌ ଛାଡ଼ି ଚାଲି ଆସିଥିଲେ। ପରେ ପାଖରେ ମୋବାଇଲକୁ ନ ପାଇ ପୁଣିଥରେ ବଜାରକୁ ଯାଇ ଖୋଜାଖୋଜି କରିଥିଲେ। ହେଲେ ସେ ମୋବାଇଲ ପାଇ ନ ଥିଲେ। ତା’ପରଦିନ ଆଉ ଏକ ନୂଆ ମୋବାଇଲ୍‌ କିଣି ନିଜ ପୁରୁଣା ସିମ୍‌କୁ ପୁନଃ ଇସ୍ୟୁ କରିପକାଇଥିଲେ। ସେଥିରେ ଫୋନ୍‌ ପେ ଆପକୁ ଇନ୍‌ଷ୍ଟଲ କରିବାରୁ ପୂର୍ବଦିନ ପୂର୍ବାହ୍ନ ସାଢ଼େ ୧୧ରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ୧୦ଟି ଅଜଣା ନମ୍ବରକୁ ମୋଟ୍‌ ୧ଲକ୍ଷ ୨୫ହଜାର ୯୦୧ ଟଙ୍କା ପଠାଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।