ୱାଧାୱନ ପରିବାରଙ୍କୁ ଲକ୍‌ଡାଉନ୍‌ ଉଲ୍ଲଂଘନ କରିବାରେ ସହାୟତା କରିଥିବା ଆଇପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି

ମୁମ୍ବାଇ,୧୦।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହି ନିୟମକୁ କେତେକ ଲୋକ ଉଲ୍ଲଂଘନ କରୁଥିବା ବେଳେ ସେମାନଙ୍କୁ କେତେକ ପୋଲିସ ଅଧିକାରୀ ଏଥିରେ ସହାୟତା କରୁଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗରେ ମହାରାଷ୍ଟ୍ରର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ମୁମ୍ବାଇର ନାମୀଦାମୀ ବ୍ୟବସାୟୀ ତଥା ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର୍ସ କପିଲ ଓ୍ବାଧାଓ୍ବନ, ଧୀରଜ ଓ୍ବାଧାଓ୍ବନ ଓ ତାଙ୍କ ପରିବାରର ୨୦ଜଣ ସଦସ୍ୟଙ୍କୁ ନିୟମ ଉଲ୍ଲଂଘନ କରିବାରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଗୁପ୍ତା ସହାୟତା କରିଥିଲେ। ଏହି ମାମଲାର ଯାଞ୍ଚ ସରିବା ଯାଏ ଅମିତାଭଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି। ଏନେଇ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ କପିଲ ଓ ଧୀରଜଙ୍କ ନାଁରେ ଅନେକ ଠକେଇ ମାମଲା ରହିଛି। ଏହା ସତ୍ତ୍ବେ ଉକ୍ତ ପୋଲିସ ଅଧିକାରୀ ତାଙ୍କୁ ପାସ୍‌ ଦେଇଥିଲେ। ଓ୍ବଧାଓ୍ବନ ପରିବାରବର୍ଗଙ୍କୁ ମୁମ୍ବାଇରୁ ୨୫୦ କିଲୋମିଟର ଦୂରରେ ଥିବା ମହାବଳେଶ୍ୱରକୁ ଯିବା ପାଇଁ ଅମିତାଭ ଲକ୍‌ଡାଉନ୍‌ ନିୟମରୁ ଛାଡ ପାଇବା ପାଇଁ ଏକ ପାସ୍‌ ଜାରି କରିଥିଲେ। ତେବେ ସେମାନେ ଏହି ଯାତ୍ରାକୁ ପାରିବାରିକ ଜରୁରୀ ବୋଲି ଟୁଇଟରରେ ଦର୍ଶାଇଥିଲେ। ବୁଧବାର ସେମାନେ ପରିବାର ଲୋକଙ୍କ ସହ ମହାବଳେଶ୍ୱରରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ଲୋକ ସେମାନଙ୍କୁ ବିରୋଧ କରିବା ସହ ଏନେଇ ପୋଲିସକୁ ଜଣାଇଥିଲେ। ପୋଲିିସ ସେମାନଙ୍କୁ ଟ୍ରାକ୍‌ କରି ଉକ୍ତ ଫାର୍ମହାଉସ୍‌ରେ ଠାବ କରିଥିଲା। ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେଠାରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି।

Share