୯୬ ବସ୍ତା ପିଡିଏସ୍‌ ଚାଉଳ ଜବତ, ତଦନ୍ତ ଜାରି

ଲହୁଣୀପଡା, ୧୨।୫ (ଡି.ଏନ.ଏ): ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତ ଅଞ୍ଚଳରେ ଏକ ଗୋଦାମ ଘରୁ ୯୬ ବସ୍ତା ଚାଉଳ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, କିଛିଦିନ ତଳେ ଖଣ୍ଡାଧାର ଓଏମ୍‌ସି ଖଣି ନିକଟ ରନ୍ତାଚଢ଼ା ହାଟିଂରେ ଥିବା ଏକ ପରିତ୍ୟକ୍ତ ଗୋଦାମ ଗୃହରେ ଏକ ଟ୍ରକ୍‌ରେ ସରକାରୀ ଚାଉଳ ଆସି ଅନ୍‌ଲୋଡ କରାଯାଇଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଏହି ଚାଉଳ ବିପିଏଲ ହିତାଧିକାରୀମାନଙ୍କ ପାଇଁ ଆସିଥିବା ଭାବି ଲୋକମାନେ ସେତେବେଳେ ଚୁପ୍‌ ଥିଲେ। ମାତ୍ର ଏହାର କିଛି ଦିନ ପରେ ଉକ୍ତ ଗୋଦାମ ଗୃହରୁ ଜଣେ ରାସନ ଦୋକାନୀ ଚାଉଳ ବାହାର କରୁଥିବା ଲୋକମାନେ ଦେଖି ଭୁତୁଡା ସରପଞ୍ଚ ବାସନ୍ତୀ ମୁଣ୍ଡାଙ୍କୁ ଖବର ଦେଇଥିଲେ। ସରପଞ୍ଚ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଗୋଦାମ ଘରେ ପହଞ୍ଚତ୍ ତଦନ୍ତ କରିବା ପରେ ସେଠାରେ ପିଡିଏସ ଚାଉଳ ରହିଥିବା ଜଣାପଡିଥିଲା। ଖବର ପାଇ ଲହୁଣୀପଡା ବିଡିଓ ଥାନାର ଚରଣ ଟୁଡୁ ଓ ତହସିଲଦାର ଆଲୋକ କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତ ବେଳେ ପରିତ୍ୟକ୍ତ ଗୋଦାମ ଘରୁ ୯୬ ବସ୍ତା ପିଡିଏସ ଚାଉଳ ଜବତ କରାଯାଇଥିଲା। ବିଡିଓ ଏ ନେଇ ବଣେଇ ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଲହୁଣୀପଡା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ତଦନ୍ତ କରୁଥିବା ଜଣାଯାଇଛି ।