Categories: ବାଣିଜ୍ୟ

୮.୬୫% ସୁଧ ହାର ଉପରେ ଇପିଏଫ୍‌ଓ କାଏମ

ନୂଆଦିଲ୍ଲୀ,୨୯-୬-ଶ୍ରମ ମନ୍ତ୍ରଣାଳୟ ଓ କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ପିଏଫ୍‌ ସୁଧ ହାର ୮.୫୫ରୁ ୮.୬୫%କୁ ବୃଦ୍ଧି କରିବା ଲାଗି ନେଇଥିବା ନିଷ୍ପତ୍ତିରେ କାଏମ ରହିବ। ପର୍ଯ୍ୟାପ୍ତ ନଗଦ ଗଚ୍ଛିତ ଥିବାର ଦ୍ୱାହି ଦେଇ ପିଏଫ୍‌ ଉପରେ ସୁଧ ହାର ବଢ଼ାଇବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ମଧ୍ୟ ପିଏଫ୍‌ ସୁଧ ହାର ବଢ଼ାଯିବ ବୋଲି ଘୋଷଣା କରିଥିଲେ। ତେବେ ଇପିଏଫ୍‌ଓର ୮.୬୫% ସୁଧ ହାର ବୃଦ୍ଧିକୁ ଅର୍ଥ ମନ୍ତ୍ରଣାଳୟ ବିରୋଧ କରିଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଇପିଏଫ୍‌ଓ ନିଜ ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ସହ ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ପାଣ୍ଠି ଖର୍ଚ୍ଚ ବଢ଼ୁଥିବାରୁ ଋଣ ଉପରେ ସୁଧ ହାର ହ୍ରାସ କରିବାକୁ ବ୍ୟାଙ୍କଗୁଡ଼ିକ ରାଜି ହେଉ ନ ଥିବା ବେଳେ ଇପିଏଫ୍‌ଓର ଏହି ନିଷ୍ପତ୍ତି ବିଶେଷ ପ୍ରଣିଧାନଯୋଗ୍ୟ। ସେହିପରି ସେମାନେ ଜମା ଉପରେ ଅଧିକ ସୁଧ ମଧ୍ୟ ଦେଉନାହାନ୍ତି। ଅପରପକ୍ଷରେ ପିଏଫ୍‌ ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଓ ଇପିଏଫ୍‌ଓ ପକ୍ଷରୁ ଅଧିକ ସୁଧ ହାର ଦିଆଗଲେ ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ପଛାଇବେ ବୋଲି ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଫଳରେ ସେମାନଙ୍କୁ ପାଣ୍ଠି ଯୋଗାଡ କରିବା ଲାଗି ସମସ୍ୟା ହେବ। ସୂଚନାଯୋଗ୍ୟ ଯେ, ଇପିଏଫ୍‌ଓ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୫୫% ରହିବ ବୋଲି ଘୋଷଣା କରିଥିଲା।

Share