Categories: ବାଣିଜ୍ୟ

୮୦ ଟପିଲା ଡିଜେଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୯ ସଂକ୍ରମଣ ଜନିତ ସମସ୍ୟା ଦେଶର ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହି ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ଡରେ ଚଡକ ପକାଇଛି। ଗୁରୁବାର ତୈଳ ଦର ଡିଜେଲ ଲିଟର ପିଛା ୧୪ ପଇସା ଏବଂ ପେଟ୍ରୋଲ ୧୬ ପଇସା ବୃଦ୍ଧି ଘଟିଛି। ଫଳରେ ଡିଜେଲ ଦର ବର୍ତ୍ତମାନ ଲିଟର ପିଛା ୧୦.୬୪ ଟଙ୍କା ଏବଂ ପେଟ୍ରୋଲ ୮.୬୬ ଟଙ୍କା ବଢିଛି। ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଦର ୭୯.୭୬ ଟଙ୍କାରୁ ବୃଦ୍ଧି ପାଇ ୭୯.୯୨ଟଙ୍କା ଏବଂ ଡିଜେଲ ଦର ୭୯.୮୮ଟଙ୍କାରୁ ୮୦.୦୨ ଟଙ୍କାକୁ ବଢିଛି। ସେହିପରି ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୮୦.୪୭ ଟଙ୍କା ଓ ଡିଜେଲ ଲିଟର ପିଛା ୭୮.୧୮ଟଙ୍କା ରହିଛି। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଲିଟର ପିଛା ୮୦ ଟଙ୍କା ପାର କରିଛିି। ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର ସୂଚନା ଅନୁସାରେ, ଦେଶର ପ୍ରମୁଖ ୪ଟି ମେଟ୍ରୋ ସହରରେ ତେଲ ଦର ଦିଲ୍ଲୀରେ ପେଟ୍ରୋଲ ୭୯.୯୨ ଟଙ୍କା ଓ ଡିଜେଲ ୮୦.୦୨ ଟଙ୍କା , କଲିକତାରେ ପେଟ୍ରୋଲ ୮୧.୬୧ଟଙ୍କା ଓ ଡିଜେଲ ୭୫.୧୮ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୮୬.୭୦ ଟଙ୍କା ଓ ଡିଜେଲ ୭୮.୩୪ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୧୮ ଟଙ୍କା ଓ ଡିଜେଲ ୭୭.୨୯ ଟଙ୍କା ଛୁଇଁଛି। ଗତ ୧୯ ଦିନ ମଧ୍ୟରେ ତେଲ ଦର କ୍ରମଶଃ ବଢି ଚାଲିଛି। ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ତେଲ ଦର ବୃଦ୍ଧିରେ ରୋକ ଲାଗିବା ଅସମ୍ଭବ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଗୁଡିକ ମତ ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବିଭିନ୍ନ ଶୁଳ୍କ ମଧ୍ୟ ତେଲ ଦର ବୃଦ୍ଧିରେ ପ୍ରମୁଖ କାରଣ ପାଲଟିଥିବା ଆଇଓସିଏଲର ଅଧ୍ୟକ୍ଷ ସଞ୍ଜୀବ ସିଂହ ମତ ଦେଇଛନ୍ତି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଗୁରୁବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ପେଟ୍ରୋଲ ଉପରେ ୮.୬୬ ଟଙ୍କା ଏବଂ ଡ଼ିଜେଲ ୧୦.୬୪ ଟଙ୍କା ବଢି ସାରିଛି। ଏହି ତେଲ ଦର ବୃଦ୍ଧିକୁ ନେଇ ବିଭିନ୍ନ ଅନୁଷ୍ଟାନ, ସଙ୍ଗଠନ ଏବଂ ରାଜନୈତିକ ଦଳ ଗୁଡିକ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି।

Share