୭ ମାସ ହେବ ସବ୍‌ଷ୍ଟେଶନ ଅଚଳ : ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ

କୋରୁକୋଣ୍ଡା,୧୨।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ସଦରଠାରେ ସାଉଥ୍‌କୋ ଦ୍ୱାରା ପରିଚାଳିତ ସବ୍‌ଷ୍ଟେଶନଟି ଆଜକୁ ଦୀର୍ଘ ୭ ମାସ ହେବ ଅଚଳ ହୋଇପଡ଼ିଛି। ଫଳରେ ଏନେଇ ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯେ, ଏହି ସବ୍‌ଷ୍ଟେଶନ ଉପରେ କୋରୁକୋଣ୍ଡା ଅଞ୍ଚଳର ପ୍ରାୟ ୪ ହଜାରରୁ ଉପଭୋକ୍ତା ନିର୍ଭରଶୀଳ। ଏକ ସଂସ୍ଥା ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆବେଦନ କରାଯାଇଥିଲା ଏବଂ ଟେଣ୍ଡରଟିକୁ ନବରଙ୍ଗପୁରର ଏକ ଠିକାସଂସ୍ଥା ନେଇଥିଲା। ତେବେ କାମଟିକୁ ସେହି ଠିକାସଂସ୍ଥା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ସବ୍‌ଷ୍ଟେଶନଟିକୁ ୨୦୧୮ ଜୁଲାଇ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟନ କରାଯାଇ ସାଉଥ୍‌କୋକୁ ହସ୍ତାନ୍ତର କରାଯାଇଥିଲା। ଏଥିରେ ମାତ୍ର ୨ଟି ଟ୍ରାନ୍ସଫର୍ମର ୧.୬ ଏମ୍‌ଭିଏର ବସାଯାଇଥିଲା। ଯାହାର ସମୟ ଅବଧି ଦୁଇ ବର୍ଷ ଥିବାବେଳେ ସମୟ ଅବଧି ପୂର୍ବରୁ ଉଭୟ ଟ୍ରାନ୍ସଫର୍ମର ଅଚଳ ହୋଇପଡିଛି। ସମୟ ଅବଧି ଥିବାରୁ ଉକ୍ତ ଟ୍ରାନ୍ସଫର୍ମରଗୁଡିକୁ ମରାମତି ନିମନ୍ତେ ଠିକାସଂସ୍ଥାକୁ ସୂଚନା ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମରାମତି ହୋଇନାହିଁ। ଫଳରେ ସାଉଥ୍‌କୋ ବାଧ୍ୟ ହୋଇ ବାଲିମେଳାର ମୁଖ୍ୟ କାର୍ଯ୍ୟାଳୟରୁ କୋରୁକୋଣ୍ଡାକୁ ବିଦ୍ୟୁତ ଯୋଗାଇ ଦେଉଛି। ପୂର୍ବରୁ କୋରୁକୋଣ୍ଡା ସବ୍‌ଷ୍ଟେଶନରୁ ଯେତିକି ପରିମାଣର ବିଦ୍ୟୁତ ଯୋଗାଇ ଦିଆଯାଉଥିଲା ବର୍ତ୍ତମାନ ସେତିକି ପରିମାଣର ବିଦ୍ୟୁତ ସାଉଥ୍‌କୋ ଯୋଗାଇ ପାରୁନାହିଁ । ଫଳରେ ଲୋକେ ଅଘୋଷିତ ବିଦ୍ୟୁତ୍‌ କାଟ, ଲୋ ଭୋଲଟେଜ୍‌ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶକ୍ତି ବିଭାଗ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ ଅଟକଳରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ଯୋଗାଣ ନିମନ୍ତେ ହୋଇଥିବା ଏହି ସବ୍‌ଷ୍ଟେଶନଟିରେ ନିମ୍ନମାନର ଟ୍ରାନ୍ସଫର୍ମର ବସିଥିବା ସହ ନିମ୍ନମାନର କାମ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଉପଭୋକ୍ତା ମହଲରେ ଦାବି ହେଉଛି।