୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯୋଡ଼ା, ୧୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଓ୍ବାର୍ଡର ପୋଷ୍ଟ ଓଫିସ ପଛପାର୍ଶ୍ୱରେ ଅଳିଆ ଆବର୍ଜନା ପଡି ପରିବେଶ ପ୍ରଦୂଷିତ ହେଉଛି । ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପଡିରହିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୌରପାଳିକାରେ ନିୟୋଜିତ ଥିବା ସଫେଇ ଠିକାଦାରମାନେ ସଫା କରୁନଥିବାରୁ ଏହି ପରିସ୍ଥିତି ଉପୁଜିଛି ବୋଲି ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡା ପୌରପାଳିକା ୭ନଂ ଓ୍ବାର୍ଡରେ ପୂର୍ବତନ କାଉନସିଲର ଶୈଳେନ୍ଦ୍ର ଜୋରା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପରିମଳ ବ୍ୟବସ୍ଥା ନେଇ ସେ ବାରମ୍ବାର ପୌରପାଳିକାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଏପରିକି ପୌରପାଳିକାର ପରିମଳ ଅଧିକାରୀଙ୍କୁ ଏନେଇ ଫୋନ ଯୋଗେ ଅଭିଯୋଗ କରିଥିଲେ ହେଁ, ଅଧିକାରୀ ଆସିନଥିବା ପୂର୍ବତନ କାଉନସିଲର କହିଛନ୍ତି। ପୌରପାଳିକା ପକ୍ଷରୁ ରଖାଯାଇଥିବା ଡଷ୍ଟବିନ୍‌ରେ ଅଳିଆ ଆବର୍ଜନା ବହୁତ ଦିନ ଧରି ପଡିରହୁଛି । ଉକ୍ତ ସ୍ଥାନରେ ଛୋଟ ଛୋଟ ପିଲାମାନେ ଖେଳୁଥିବାରୁ ଅନେକ ସମୟରେ ସେମାନଙ୍କୁ ତଥା ଓ୍ବାର୍ଡବାସୀଙ୍କୁ ଚର୍ମରୋଗ ତଥା ସଂକ୍ରମଣଜନିତ ରୋଗ ଆକ୍ରାନ୍ତ କରୁଛି । ବର୍ଷାଦିନ ହୋଇଥିବାରୁ ଅଳିଆଆବର୍ଜନା ଜମା ରହିବାରୁ ଆଗାମୀ ଦିନରେ ଡେଙ୍ଗୁ ଜ୍ୱରର ଭୟାବହତା ମଧ୍ୟ ରହିଛି । ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।