Categories: ଜାତୀୟ

୬ ସେନା ଅଧିକାରୀଙ୍କୁ ଶୌର୍ଯ୍ୟଚକ୍ର ୧୯ ଜଣଙ୍କୁ ପିଭିଏସ୍‌ଏମ୍‌

ନୂଆଦିଲ୍ଲୀ,୨୬ା୧(ପି.ଟି.): ଉତ୍ତରାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂଙ୍କ ସମେତ ୧୯ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ଏବଂ ବୀରତା ପାଇଁ ୬ ଜଣଙ୍କୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯିବ। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୋଟ ୧୫୧ଟି ସେନା ମେଡାଲ ଓ ୮ଟି ଯୁଦ୍ଧ ସେବା ମେଡାଲ ଘୋଷଣା କରାଯାଇଛି।
ମୋଟ ୨୯୦ ବୀରତା ପୁରସ୍କାର ମଧ୍ୟରୁ ଜମ୍ମୁ-କଶ୍ମୀର ପୋଲିସ ସର୍ବାଧିକ ୧୦୮ଟି ବୀରତା ପଦକ ହାସଲ କରିଥିବାବେଳେ ସିଆର୍‌ପିଏଫ୍‌କୁ ମିଳିବ ୭୬ଟି ମେଡାଲ। ସେହିପରି ମୋଟ ୪ଟି ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟରୁ ଉପତ୍ୟକାରେ ଆତଙ୍କବାଦ ନିରୋଧୀ କାର୍ଯ୍ୟରେ ନିୟୋଜିତ ପୋଲିସକୁ ୩ଟି ମିଳିଥିବା ଜଣାପଡିଛି। ଆତଙ୍କବାଦ ଓ ମାଓବାଦୀ ନିରୋଧୀ କାର୍ଯ୍ୟରେ ନିୟୋଜିତ ସିଆର୍‌ପିଏଫ୍‌କୁ ୭୫ଟି ପୋଲିସ ବୀରତା ମେଡାଲ ମିଳିବାକୁ ଥିବାବେଳେ କୋବ୍ରା କମାଣ୍ଡୋ ଉତ୍ପଳ ରାଭାଙ୍କୁ ମରଣୋତ୍ତର ଭାବେ ପିପିଏମ୍‌ଜି ମିଳିବ। ୨୦୧୮ ଜୁନ୍‌ରେ ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଏନ୍‌କାଉଣ୍ଟରରେ ରାଭା ଶହୀଦ ହୋଇଥିଲେ। ଓଡ଼ିଶାର ୧୬ ପୋଲିସଙ୍କୁ ପୋଲିସ ବୀରତା ମେଡାଲ ମିଳିବାକୁ ଥିବାବେଳେବେଳେ ଝାଡ଼ଖଣ୍ଡ ପୋଲିସକୁ ୩୩, ଦିଲ୍ଲୀ ପୋଲିସକୁ ୧୨, ମହାରାଷ୍ଟ୍ର ପୋଲିସକୁ ୧୦, ଛତିଶଗଡ଼ ୮, ବିହାର ୭, ପଞ୍ଜାବ ୪ ଓ ମଣିପୁର ପୋଲିସକୁ ୨ଟି ପିଏମ୍‌ଜି ମେଡାଲ ପ୍ରଦାନ ଲାଗି ମନୋନୀତ କରାଯାଇଛି। କେନ୍ଦ୍ରୀୟ ବଳ ମଧ୍ୟରୁ ବିଏସ୍‌ଏଫକୁ ୯ଟି, ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)କୁ ୪, ରେଲଓ୍ବେ ସୁରକ୍ଷା ବଳ (ଆର୍‌ପିଏଫ୍‌)କୁ ଗୋଟିଏ ପୋଲିସ ବୀରତା ମେଡାଲ ପ୍ରଦାନ ଲାଗି ଘୋଷଣା କରାଯାଇଛି। ଏଥିସହିତ ୯୩ ଉଲ୍ଲେଖନୀୟ ସେବା ମେଡାଲ, ୬୫୭ ପ୍ରଶଂସନୀୟ ସେବା ମେଡାଲ ସମେତ ମୋଟ ୧୦୪୦ ପୋଲିସ ମେଡାଲ ଘୋଷଣା କରାଯାଇଛି। ସିଆଇଏସ୍‌ଏଫ୍‌ର ୨୯ ଅଧିକାରୀ ଏବଂ ଆଇଟିବିପିର ୧୫ ଅଧିକାରୀ ପୋଲିସ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।

Share