୬ ବସ୍ତା ଚୋରା ମଦ ପୋଡିଲେ ମହିଳା

ସୋର, ୯ା୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଣ୍ଡାସାହି ଗ୍ରାମରେ ଗୁରୁବାର ୫ଟି ସ୍ବୟଂସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ୱ ମହିଳା ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ବିପୁଳ ପରିମାଣର ଚୋରା ମଦ ଜବତ କରି ପୋଡି ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଜୟଶ୍ରୀରାମ, ମମତା, ଜାଗୁଳାଇ, ମଙ୍ଗଳା ଓ ରାଧାକୃଷ୍ଣ ଗୋଷ୍ଠୀର ମହିଳାମାନେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ହେଲା ମଦ ବିରୋଧୀ ଆନ୍ଦୋଳନ କରିଆସୁଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ମହିଳାମାନେ ଏକାଠି ହୋଇ ଚୋରା ଭାଟି ଉପରେ ଚଢ଼ାଉ କରିଥିଲେ। ଜଣେ ବ୍ୟକ୍ତିଙ୍କ ବାଡିରେ ଲୁଚାଇ ରଖାଯାଇଥିବା ୬ ବସ୍ତା ଚୋରାମଦକୁ ମହିଳମାନେ ବାହାର କରି ପୋଡି ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଜବତ ମଦ କାହାର ଓ କେଉଁମାନେ ଏହି କାରବାରରେ ଲିପ୍ତ ସେମାନଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଏହି ମହିଳା ଗୋଷ୍ଠୀର ସଦସ୍ୟାମାନେ ଦାବି କରିଛନ୍ତି।