୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ

ଜମନକିରା,୧୧।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍‌ ମୁଖ୍ୟଛକ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ଆଦି ଦାବିନେଇ ପୂର୍ବ ନିଷ୍ପତ୍ତିକ୍ରମେ ଏହି ଅବରୋଧ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ତେବେ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସ୍ବାଭାବିକ ରହିଥିଲା।
କେନ୍ଦୁପତ୍ର ତୋଳାଳି କର୍ମଚାରୀ ଓ ବନ୍ଧେଇ ଶ୍ରମିକ ପ୍ରତି ସରକାରଙ୍କ ଅନ୍ୟାୟ ବିରୋଧରେ ମାର୍ଚ୍ଚ ୨ ଓ ୩ ତାରିଖ ଦୁଇଦିନ ଧରି ରେଞ୍ଜ କାର୍ଯ୍ୟାଳୟ ଗୁଡ଼ିକରେ ଗଣଧାରଣା ଦେଇଥିଲେ। ପରେ ମଧ୍ୟ ସରକାର ସମସ୍ୟା ସମାଧାନ ନ କରିବାରୁ ବୁଧବାର ରାଜରାସ୍ତାକୁ ଅବରୋଧ କରାଯାଇଛି।