୬ ଡକାୟତ ଗିରଫ, ଜଣେ ଫେରାର

ଛେଣ୍ଡିପଦା, ୯ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଜଙ୍ଗଲ ନିକଟରେ ଶନିବାର ରାତିରେ ଏକ ଗ୍ୟାଙ୍ଗର ଡକାୟତି ଯୋଜନା ପଣ୍ଡ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୋଲିସ ସେଠାରେ ଚଢ଼ାଉ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଦେଶୀ ବନ୍ଧୁକ ଆଦି ମାରଣାସ୍ତ୍ର, ୮ଟି ମୋବାଇଲ ଓ ଗୋଟିଏ ବାଇକ୍‌ (ନଂ.ଓଡି ୧୯ଡି ୩୨୫୦) ଜବତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ବୋଲେରୋ ସହ ସେଠାରୁ ଫେରାର ହୋଇଯାଇଥିବା ପୋଲିସ କହିଛି।
ରବିବାର ଅପରାହ୍ନରେ ପୋଲିସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ, ରାତି ପ୍ରାୟ ୧ଟାବେଳେ ଏହି ଡକାୟତି ଦଳର ୭ ଜଣ ଛେଣ୍ଡିପଦାରୁ କମ୍ପସଲା ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କମ୍ପସଲା ଜଙ୍ଗଲ ନିକଟରେ କମ୍ପସଲା ଓ ବ୍ରାହ୍ମଣବିଲ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବୁଢାରାଜା ଡେଲି ମାର୍କେଟ ଅଞ୍ଚଳର ସୁନୀଲ ଓରଫ ମିଡିଆ ବେହେରା, ନରସିଂହପୁର ଥାନା ଦେଓଭୂଇଁ ଗାଁର ନାଲି ଓରଫ ପ୍ରଶାନ୍ତ ନାଏକ, ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ହିନ୍ଦୋଳ ଟାଉନ ଅଞ୍ଚଳର ଲିପୁ ନାଏକ, ଛେଣ୍ଡିପଦା ଥାନା କସିଡିହ ଗ୍ରାମର ସନ୍ତୋଷ ସାହୁ, ଏନ୍‌ଟିପିସି ଥାନା ବିଜିଗୋଳ ନୂଆପାଟଣା ଗାଁର ଗଜରାଜ ନାଏକ ଏବଂ ଗୋପୀନାଥପୁର ଗ୍ରାମର ପ୍ରଶାନ୍ତ ନାଏକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ କିଛି ଦିନ ତଳେ ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏକ ମୋବାଇଲ ଓ ୧୩୦୦ ଟଙ୍କା ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ନେଇ ଛେଣ୍ଡିପଦା ଥାନାରେ ମାମଲା ରୁଜୁ ହୋଇଛି। ଏହି ଡକାୟତ ଗ୍ୟାଙ୍ଗ ରେଢାଖୋଲ, ଜୁଜୁମରା, ଚାରମାଳ, କିଆକଟା, ଅନୁଗୋଳ ଆଦି ଅଞ୍ଚଳରେ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଏ ନେଇ ନଂ. ୮୩/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଛି। ଆବଶ୍ୟକ ପଡିଲେ ଗିରଫମାନଙ୍କୁ ରିମାଣ୍ଡରେ ଅଣାଯାଇ ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।