୬୦ ନଂ.ଜାତୀୟ ରାଜପଥରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

ଜଳେଶ୍ୱର, ୭।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ୬୦ନଂ. ଜାତୀୟ ରାଜପଥ ଏକତାଳିଠାରେ ଗୋରୁ ବ୍ୟବସାୟୀଙ୍କୁଠାରୁ ଲୁଟ୍‌ ଘଟଣାରେ ପୋଲିସ ଶୁକ୍ରବାର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଶନିବାର ଜେଏମ୍‌ଏଫସି କୋଟର୍ର୍ରେ ହାଜର କରାଯାଇଛି ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ଉମେଶ ଚନ୍ଦ୍ର ପଣ୍ଡା ଓ ଆଇଆଇସି ପ୍ରଦୀପ କୁମାର ମାଝି ସୂଚନା ଦେଇଛନ୍ତି।
ଭଦ୍ରକ ଜିଲାର ୬ଜଣ ଗୋରୁ ବ୍ୟବସାୟୀ ହାୱଡ଼ା ନିକଟସ୍ଥ ବିସିପୁର ଗୋରୁ ହାଟରେ ଗୋରୁ ବିକ୍ରି କରି ବୋଲେରୋରେ ଫେରୁଥିଲେ। ଜଳେଶ୍ୱର ଥାନା ଏକତାଳିଠାରେ ଏକ ସ୍କୋର୍ପିଓରେ ୬ଜଣ ଓ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ବୋଲେରୋକୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବୋଲେରୋକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ପରେ ଦୁର୍ବୃତ୍ତମାନେ ଏକାଠି ହୋଇ ବ୍ୟବସାୟୀଙ୍କଠାରୁ ୮ଲକ୍ଷ ୮୫ହଜାର ଟଙ୍କା ଲୁଟ୍‌ କରି ନେଇଥିଲେ। ଏନେଇ ଜଳେଶ୍ୱର ଥାନାରେ ମାମଲା (ନଂ. ୩୨୦/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ପୂର୍ବାଞ୍ଚଳ ଆରକ୍ଷୀ ମହାନୀରିକ୍ଷକ ଦିପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲା ଆରକ୍ଷୀ ଅଧୀକ୍ଷକ ବି.ଯୁଗଳ କିଶୋର କୁମାରଙ୍କ ତତ୍ତ୍ୱାବଧାନ ଓ ଡିଏସ୍‌ପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝିଙ୍କୁ ନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ଲୁଟ୍‌ ଘଟଣାର ୧୦ଦିନ ପରେ ପୋଲିସ ମାଷ୍ଟରମାଇଣ୍ଡ କୁହାଯାଉଥିବା ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନାର କୋଦଣ୍ଡପୁର ଗାଁର ସୁଜିତ ମଲ୍ଲିକ, ରାଜପୁର ଅଞ୍ଚଳ ତିହିଡ଼ିର ମାନସ ଦାସ, ପୁରୁଣା ବଜାର ଥାନା ମିର୍ଜାପୁର ଗାଁର ସୁରେଶ ବେହେରା, ପୁରୁଣାବଜାର ଥାନା କାଜିମହଲା ୨୭ ନଂ ୱାର୍ଡ଼ ବାସିନ୍ଦା ରାଜଉଲ ହକ୍‌, ନାଇକାନଡ଼ିହି ଥାନାର କରଞ୍ଜଡ଼ି ଗାଁର ରତିକାନ୍ତ ତରେଇଙ୍କୁ ଗିରଫ କରିଛି। ଲୁଟ୍‌ ବେଳେ ବ୍ୟବହୃତ ସ୍କୋର୍ପିଓ (ନଂ. ଓଡ଼ି୦୨ଏଏସ୍‌-୮୮୨୫) ଓ ଆପାଚି ବାଇକ୍‌ (ନଂ. ଓଡ଼ି୨୨ପି-୯୨୯୯), ସୁନାଚେନ୍‌ ଓ ମୁଦି ସହିତ ୧ଲକ୍ଷ ୮୩ହଜାର ୫୦୦ଟଙ୍କା ଜବତ କରାଯାଇଛି। ସୁଜିତ୍‌ଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ମାମଲା ରହିଛି। ରାଜଉଲ ଏହି ଲୁଟ୍‌ ଯୋଜନାର ସୂତ୍ରଧର ଥିବା ପୋଲିସ କହିଛି। ଲୁଟ୍‌ ବେଳେ ଗୁଳି ଚଳାଇଥିବା ଯୁବକଙ୍କ ସହ ଅନ୍ୟ ୪ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି।