୫ କି.ମି ପାହାଡ଼ ଚଢ଼ି ଦୁର୍ଗମ ଗ୍ରାମରେ ପହଞ୍ଚିଲେ ବିଡିଓ

ଖଇରପୁଟ,୨୨ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ପାହାଡ଼ ଉପରେ ଥିବା ଦୁର୍ଗମ ଗ୍ରାମ ମଇଁଷିଖାଲ ଗ୍ରାମକୁ ସୋମବାର ବିଡିଓ ହୃଦାନନ୍ଦ ସାହୁ ଗସ୍ତ କରିଛନ୍ତି। ପାହାଡ ଚଢି ୫କି.ମି. ଚାଲିଚାଲି ଯାଇ ସେ ଉକ୍ତ ଗ୍ରାମରେ ପହଞ୍ଚତ୍ଛନ୍ତି। ନିକଟରେ ଗ୍ରାମବାସୀ ସେମାନଙ୍କ ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ବିଡିଓ ସାହୁ ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ପାହାଡ ଉପରୁ ଝରୁଥିବା ଝରଣା ପାଣିକୁ ଗୋଟିଏ ଜାଗାରେ ଗଚ୍ଛିତ କରି ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ଏହାର ତଦାରଖ ପାଇଁ ସେ ଦୁର୍ଗମ ମଇଁଷିଖାଲରେ ପହଞ୍ଚତ୍ଥିଲେ। ବିଡିଓଙ୍କୁ ନିଜ ଗ୍ରାମରେ ଦେଖି ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୪୦ ପରିବାର ବସବାସ କରନ୍ତି। ଗ୍ରାମକୁ ରାସ୍ତା ନ ଥିବାରୁ ସେମାନେ ଯେଉଁଆଡେ ଯାଆନ୍ତି କଷ୍ଟରେ ଚାଲିଚାଲି ଯାଇଥାନ୍ତି। ରାସ୍ତା ନ ଥିବା ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ କାର୍ଯ୍ୟକାରୀ ହେବାରେ ସମସ୍ୟା ଦେଖାଦେଇଥାଏ। ନିକଟରେ ବିଡିଓଙ୍କୁ ଭେଟି ଗ୍ରାମବାସୀ ଗ୍ରାମକୁ ରାସ୍ତା ଓ ପାନୀୟ ଜଳ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଜଣାଇଥିଲେ। ବିଡିଓ ପ୍ରଥମେ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କନିଷ୍ଠଯନ୍ତ୍ରୀ ବିଶ୍ୱ କୁମାର ମଲ୍ଲିକଙ୍କ ସହ ଅନ୍ୟମାନେ ବିଡିଓଙ୍କ ସହ ଗ୍ରାମକୁ ଗସ୍ତ କରିଥିଲେ।