୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ: ସେବା ମନୋବୃତ୍ତି ନେଇ କାମ କରିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ,୬।୧୨: ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ (ଡିଆଇଜି) ସତ୍ୟବ୍ରତ ଭୋଇ ଯୋଗଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଢ଼ି ଶୁଣାଇଥିଲେ। ଆଇନ ଶୃଙ୍ଖଳା, ପ୍ରାକୃତିକ ବିପର୍ଯ୍ୟୟ, ଟ୍ରାଫିକ ନିୟନ୍ତ୍ରଣ ହେଉ ପ୍ରତ୍ୟେକ କ୍ଷେତ୍ରରେ ଗୃହରକ୍ଷୀଙ୍କ କାର୍ଯ୍ୟଦକ୍ଷତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଡିଆଇଜି କହିଥିଲେ। ସେହିପରି ଗୃହରକ୍ଷୀମାନେ ଯେ କୌଣସି ପରିସ୍ଥିତିରେ ସେବା ମନୋବୃତ୍ତି ନେଇ ସମାଜର ବିଭିନ୍ନ କ୍ଷେତ୍ରରେ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ୩ ଜଣଙ୍କୁ ସମ୍ମାନିତ କରାଯାଇଛି। ସଦର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ରିତେନ୍ଦ୍ର କୁମାର ଶତପଥୀ, ଗୋଷାଣୀନୂଆଗାଁ ଥାନାର ବିଷ୍ଣୁଦେବ ପଣ୍ଡାଙ୍କୁ ଶାନ୍ତିଶୃଙ୍ଖଳା ଓ ବଡ଼ବଜାର ଥାନାରେ କାର୍ଯ୍ୟରତ ମିଟୁ ଗୌଡ଼ଙ୍କୁ ଅପରାଧିକ ଗୁପ୍ତ ତଥ୍ୟ ପ୍ରଦାନ ପାଇଁ ଆର୍ଥିକ ରାଶି ୫୦୦ ଟଙ୍କା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି । ଏଥିରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ,ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି,ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର, ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ରିଜର୍ଭ ଆରଆଇ ଦିଲୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।