Categories: ଜାତୀୟ

୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

ମୁମ୍ବାଇ,୪ା୨(ଆଇଏଏନ୍‌ଏସ୍‌): ମୁମ୍ବାଇ ପୋଲିସ ୫୧ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ସେମାନେ ଶନିବାର ଏକ ର଼୍ୟାଲିରେ ଯୋଗଦେଇ ଦେଶଦ୍ରୋହ ଅଭିଯୁକ୍ତ ଜେଏନ୍‌ୟୁ ଛାତ୍ର ଶର୍ଜିଲ ଇମାମଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଆଜାଦ ମଇଦାନ ଥାନା ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଡିସିପି ପ୍ରଣୟ ଅଶୋକ କହିଛନ୍ତି। ଶନିବାର ଆଜାଦ ମଇଦାନରେ ହମ୍‌ସଫର ଟ୍ରଷ୍ଟ ନେତୃତ୍ୱରେ ଅନୁଷ୍ଠିତ ର଼୍ୟାଲିରେ କେତେଜଣ ଶର୍ଜିଲ ଇମାମଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିବାର ଭିଡିଓ ସୋମବାର ଭାଇରାଲ ହୋଇଥିଲା। ଏଥିପାଇଁ ଭାଜପା ମହାରାଷ୍ଟ୍ରର ମେଣ୍ଟ ସରକାରଙ୍କୁ ଦାୟୀ କରିଥିଲା। ଜଣେ ଭାଜପା ନେତା ଏହା ବିରୋଧରେ ଥାନାରେ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Share