୪ ହାଇଓ୍ବେ ଲୁଟେରା ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟପାଟ କରୁଥିବା ୪ ହାଇଓ୍ବେ ଲୁଟେରାଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ନିଆଳି ଥାନା ଅଧୀନ ବନମାଳୀପୁରର ପ୍ରଭାତ ଜେନା ଓରଫ୍‌ ବାପି(୨୬), ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ବୁଆଳିର ସୌଳବତ୍ର ମହାରଣା ଓରଫ୍‌ କାଳିଆ (୨୭), ନୟାଗଡ ଜିଲା ଗୋଡିପଦା ଥାନା ଅଧୀନ କୋମଡାର ରଞ୍ଜନ ନାୟକ ଓରଫ୍‌ ମୁନି(୨୪), ଜଗତସିଂହପୁର ଜିଲା ପାରାଦୀପଗଡର ନରେନ୍ଦ୍ରପୁରର ରାଜେଶ ପାଳ ଓରଫ୍‌ ଜିତୁ(୨୫)। ଏମାନଙ୍କ ନିକଟରୁ ଗୋଟିଏ ବାଇକ୍‌, ୬ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି।
ସୂଚନା ମୁତାବକ, ଗତ ମଙ୍ଗଳବାର ଗଜପତି ଜିଲା ଗୁରୁଣ୍ଡି ଥାନା ଅଞ୍ଚଳର ଅସ୍ପନ ସୁନୀଲ କୁମାର(୩୦) ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ ନିକଟରେ ଲୁଟର ଶିକାର ହୋଇଥିଲେ। ଡ୍ରାଇଭର ଅସ୍ପନ କଟକର ସତ୍ୟ ସାଇ ଟ୍ରାନ୍ସପୋର୍ଟରୁ ଟ୍ରକରେ ଅଟା ବୋଝେଇ କରି ଗୁଣୁପୁର ବାହାରିଥିଲେ। ଭୋର ସାଢେ ୪ଟା ରେ ପୁରୀ ବାଇପାସ ନିକଟରେ ୪ଟି ବାଇକରେ ୮ଜଣ ଯୁବକ ଆସି ଟ୍ରକକୁ ଅଟକାଇଥିଲେ। ଯୁବକମାନେ ଟ୍ରକ୍‌ ଝରକା କାଚ ଭାଙ୍ଗି ଦେବା ସହ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରିଥିଲେ। ଏହା ସହ ୧୫ହଜାର ଟଙ୍କା, ମୋବାଇଲ ଫୋନ ଓ ଗାଡିର କାଗଜ ପତ୍ର ନେଇ ପଳାଇଥିଲେ। ଏ ନେଇ ଡ୍ରାଇଭର ଲୁଟ ବେଳେ ବ୍ୟବହାର ହୋଇଥିବା ଦୁଇଟି ବାଇକ ନମ୍ବର ସହ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୨୫/୧୯)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏଥିସହ ରସୁଲଗଡ ମା’ପାଟଦେଇ ବସ୍ତି ଅଞ୍ଚଳରେ ରହୁଥିବା ଲୁଟରେ ବ୍ୟବହୃତ ବାଇକ୍‌ ମାଲିକ ପ୍ରଭାତ ଜେନାଙ୍କୁ ଧରି ଥାନାକୁ ଆଣି ପଚରାଉଚରା ପରେ ସମସ୍ତ ଘଟଣା ଜଣାପଡିଥିଲା। ପ୍ରଭାତ ଏବଂ ତାଙ୍କ ୭ ଜଣ ସହଯୋଗୀ ଲୁଟ କରିଥିବା ପୋଲିସ ଆଗରେ ମାନିଥିଲେ। ପୋଲିସ ପ୍ରଭାତଙ୍କ ତଥ୍ୟକୁ ଆଧାର କରି ଆଉ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ୪ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।