୪ ମହଲା ଉପରୁ ଖସି ଶ୍ରମିକଙ୍କ ଜୀବନଗଲା

କୋକସରା,୨୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମର ହେମରାଜ ଦୁର୍ଗା (୨୬)ଙ୍କ ଶନିବାର ହାଇଦ୍ରାବାଦଠାରେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ୪ ମହଲା ଉପରୁ ଖସିପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରୋଜଗାର କ୍ଷମ ପୁଅର ମୃତ୍ୟୁ ଖବର ଶୁଣି ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଦୀର୍ଘଦିନ ହେବ ହେମରାଜ ହାଇଦ୍ରାବାଦର ମେୟାପୁର ମାତୃଶ୍ରୀନଗରଠାରେ ଶ୍ରମିକ ଭାବେ ନିୟୋଜିତ ହୋଇ ଏକ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସବୁଦିନ ଭଳି ଶନିବାର ସକାଳୁ ମଧ୍ୟ ହେମରାଜ ୪ ମହଲା ଏକ କୋଠାରେ ସେଣ୍ଟ୍ରିଙ୍ଗି କାମ କରୁଥିଲେ। ହଠାତ୍‌ ସେ ଖସିପଡି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସାଥୀ ଶ୍ରମିକମାନେ କହିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।