Categories: ବାଣିଜ୍ୟ

୪୮ ହଜାର ଟପିଲା ରୁପା ଦର

ନୂଆଦିଲ୍ଲୀ,୨୯-୮: ବୁଧବାର ସୁନା ଓ ରୁପା ଦର ଊର୍ଦ୍ଧ୍ୱମୁଖୀ ହୋଇଛି। ସୁନା ଦର ପ୍ରତି ୧୦ ଗ୍ରାମ ୪୦ହଜାର ଟଙ୍କା ନିକଟତର ହୋଇଥିବା ବେଳେ ରୁପା ଦର କେଜି ୪୮ ହଜାର ଟଙ୍କା ଟପିଯାଇଛି। ସୁନା ଦର ପ୍ରତି ୧୦ ଗ୍ରାମ ୩୦୦ ଟଙ୍କା ବଢ଼ି ୩୯,୯୭୦ ଟଙ୍କାରେ ପହଞ୍ଚିବା ସହ ଏକ ନୂଆ ରେକର୍ଡ କରିଥିବା ବେଳେ ରୁପା ଦର ମଧ୍ୟ ଏକ କେଜି ୨୧୧୦ ଟଙ୍କା ବଢ଼ି ୪୮,୮୫୦ ଟଙ୍କାରେ ପହଞ୍ଚିଯାଇଛି। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନର ରିପୋର୍ଟ ଅନୁଯାୟୀ, ୯୯.୯ ପ୍ରତିଶତ ଅର୍ଥାତ ୨୪ କ୍ୟାରେଟ ସୁନା ଦର ଦିଲ୍ଲୀରେ ୩୦୦ ଟଙ୍କା ବଢ଼ି ୩୯,୯୭୦ ଓ ୨୨ କ୍ୟାରେଟ ବା ୯୯.୫% ଦର ୩୯,୮୦୦ ଟଙ୍କା ରହିଛି। ବିଶ୍ୱ ବଜାରରେ ସୁନା ଦର ପ୍ରତି ଆଉନ୍ସ ୧୫୪୩ ଡଲାର ରହିଥିବା ବେଳେ ରୁପା ଦର ବୃଦ୍ଧି ପାଇ ୧୮.୩୮ ଡଲାର ପ୍ରତି ଆଉନ୍ସ ରହିଛି। ସେହିପରି ରୁପା ଦର ୪୮,୮୫୦ ଟଙ୍କା ରହିଥିବା ବେଳେ ସାପ୍ତାହିକ ଡେଲିଭରି ଦର ୧୨୮୯ ଟଙ୍କା ବୃଦ୍ଧି ପାଇ ୪୬,୪୧୬ ଟଙ୍କା ପ୍ରତି କେଜି ରହିଛି। ରୁପା ମୁଦ୍ରା ଦର ୨୦୦୦ ଟଙ୍କା ବୃଦ୍ଧି ପାଇବା ଯୋଗୁ ଏହାର ମୂଲ୍ୟ ୯୮ହଜାର ଟଙ୍କା ପ୍ରତି ୧୦୦ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବ୍ୟବସାୟୀ ଓ ଜୁଏଲାରି ନିର୍ମାତାଙ୍କ ପକ୍ଷରୁ ଖରିଦ୍‌ କରାଯାଉଥିବାରୁ ଉଭୟ ସୁନା ଓ ରୁପା ଦର ହୁହୁ ହୋଇ ବଢ଼ୁଛି।

Share