୪୫ରୁ ଅଧିକ ଆସନରେ ଜିତି ଦିଲ୍ଲୀରେ ସରକାର ଗଢିବ ଭାଜପା: ଶାହା

ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ପ୍ରଚାର ସରିବା ପରେ ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଦିଲ୍ଲୀରେ ୪୫ରୁ ଊର୍ଦ୍ଧ୍ୱ ଆସନରେ ଜିତି ସରକାର ଗଠନ କରିବ। ପ୍ରଚାର ପରେ ପରେ ଶାହାଙ୍କର ଏହି ଦୃଢୋକ୍ତି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହା କହିଛନ୍ତି ଲୋକଙ୍କର ସମର୍ଥନରୁ ସ୍ପଷ୍ଟ ବାରି ହୋଇପଡିଛି ଯେ ଏଥର ଦିଲ୍ଲୀରେ ଭାଜପା ହିଁ ଶାସନ ଗାଦିରେ ବସିବ। ଗତ ୫ ବର୍ଷ ଭିତରେ ମିଥ୍ୟା ପ୍ରତିଶ୍ରୁତି, ଅରାଜକତାରେ ଦିଲ୍ଲୀବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଏବେ ସେମାନେ ବିକାଶ ଚାହାନ୍ତି ବୋଲି ଶାହା କହିଛନ୍ତି। ଭାଜପା ହିଁ ଏହା ଦେଇ ପାରିବ ବୋଲି ଦିଲ୍ଲୀବାସୀଙ୍କ ବିଶ୍ୱାସ ରହିଛି।

Share