Categories: ମେଟ୍ରୋ

୪୧ ଅସ୍ଥାୟୀ ହାଟ କରିବ ବିଏମ୍‌ସି

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ୨୧ଦିନିଆ ଲକଡାଉନ ଘୋଷଣା ପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଜନସାଧାରଣଙ୍କ ସେବା ଓ ସୁବିଧାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ନୂଆ କରି ୪୧ଟି ଅସ୍ଥାୟୀ ହାଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଥିବା ବିଭିନ୍ନ ହାଟରେ ଲୋକଙ୍କ ଗହଳି ପରିଲକ୍ଷିତ ହେବାରୁ ଅଧିକ ହାଟ ବସାଇ ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ସ୍ଥିର କରିଥିବା କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ଏସିଏଲ୍‌)ର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନିକ) କମଲଜିତ୍‌ ଦାସ କହିଛନ୍ତିି ଯେ, ଗହଳିରେ କରୋନା ଭାଇରସ୍‌ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥାଏ। ତେଣୁ ଲୋକଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ତାହା ସତ୍ତ୍ୱେ ବି ଜନସାଧାରଣ ହାଟ ବଜାରରେ ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି। ସେଥିପାଇଁ ବିଏମ୍‌ସି ସହରର ବିଭିନ୍ନ ସ୍ଥାନରେ ୪୧ଟି ଅସ୍ଥାୟୀ ହାଟ କରାଯିବ। ଏ ନେଇ ବିିଭିନ୍ନ ସ୍ଥାନରେ ଚିହ୍ନଟ ପ୍ରକ୍ରିୟା ହୋଇସାରି ଥିବାବେଳେ ଖୁବଶୀଘ୍ର ହାଟ ହେବ ବୋଲି ସେ କହିଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ବିଏମ୍‌ସି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।