Categories: ବାଣିଜ୍ୟ

୪୦% ଲୋକ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି: ସର୍ଭେ

ଭୁବନେଶ୍ୱର, ୪।୬(ବ୍ୟୁରୋ) ଦେଶର ଅଗ୍ରଣୀ ଜେନେରାଲ୍‌ ଇନସ୍ୟୁରାନ୍ସ କମ୍ପାନି ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଭୁବନେଶ୍ୱରରେ ଧୂମପାନକାରୀଙ୍କ ଅଭ୍ୟାସ ଏବଂ ସେମାନଙ୍କ ଉପରେ ବନ୍ଧୁମାନଙ୍କର ପ୍ରଭାବ ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ସର୍ଭେରେ ଭାଗ ନେଇଥିବା ୪୦% ଲୋକ କହିଛନ୍ତିି, ସେମାନେ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ଏବଂ ଧୂମପାନ ଛାଡ଼ିବାକୁ ପ୍ରତିଶୃତିବଦ୍ଧ। ୪୮% ଲୋକ କହିଛନ୍ତିି, ନିଜକୁ ସ୍ମାର୍ଟ ଏବଂ କୁଲ୍‌ ଦେଖାଇବା ପାଇଁ କିମ୍ବା ଲୋକମାନଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହେବା ପାଇଁ ସେମାନେ ଧୂମପାନ କରୁଛନ୍ତିି। ଆଉ କିଛି ଲୋକ କହିଛନ୍ତି, ବନ୍ଧୁ ଓ ସହଯୋଗୀଙ୍କ ଚାପ ଯୋଗୁ ସେମାନେ ଧୂମପାନ ଛାଡ଼ିପାରୁନାହାନ୍ତିି। ସର୍ଭେରୁ ଜଣାପଡ଼ିଛି, ଅଧିକାଂଶ ଲୋକ ବନ୍ଧୁଙ୍କ ପ୍ରଭାବରେ ହିଁ ଧୂମପାନ କରିଥାନ୍ତି। ଏହାର ଦ୍ୱିତୀୟ ଦିଗଟି ହେଉଛି ସେହିଭଳି କିଛି ବନ୍ଧୁମାନଙ୍କ ଯୋଗୁ ହିଁ ଲୋକମାନେ ଧୂମପାନ ଛାଡିଥାନ୍ତି। ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀର ଚିଫ୍‌ ଅଣ୍ଡରରାଇଟିଂ ସଂଜୟ ଦତ୍ତ କହିଛନ୍ତି, ଧୂମପାନ ଅଭ୍ୟାସ ଶରୀର ପାଇଁ କ୍ଷତିକାରକ। ଏହା ସତ୍ତ୍ୱେ ଯୁବବର୍ଗ ଧୂମପାନ ଅଭ୍ୟାସ ଜାରି ରଖିଛନ୍ତି। ବନ୍ଧୁ ଓ ସମାଜରେ ଗ୍ରହଣୀୟ ହେବା ପାଇଁ ସେମାନେ ଏଭଳି କରୁଥିବା ଜଣାପଡ଼ିଛି। ଏହି ସର୍ଭେ ଆମକୁ ଧୁମପାନକାରୀ ଏବଂ ସେମାନଙ୍କ ବନ୍ଧୁଙ୍କ ଭିତରେ ଥିବା ସମ୍ପର୍କକୁ ବୁଝିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି।

Share