Categories: ଜାତୀୟ

୪୦ ଲକ୍ଷଙ୍କୁ ମିଳିବ ମାଲିକାନା ଅଧିକାର

ନୂଆଦିଲ୍ଲୀ,୨୪ା୧୦(ପି.ଟି.): ଦିଲ୍ଲୀର ଅନଧିକୃତ କଲୋନିଗୁଡ଼ିକରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ଅଧିକାର ମିଳିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଜାତୀୟ ରାଜଧାନୀରେ ଅନଧିକୃତ କଲୋନିଗୁଡିକରେ ରହୁଥିବା ଲୋକମାନଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ଏନେଇ ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଏକ ବିଲ୍‌ ଆସିବ ବୋଲି କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଆସନ୍ତାବର୍ଷ ପ୍ରଥମ ଭାଗରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଦିଲ୍ଲୀର ୧୭୫ ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ୧୭୯୭ ଅନଧିକୃତ କଲୋନି ଚିହ୍ନଟ କରାଯାଇଛି, ଯେଉଁଠାରେ ନିମ୍ନ ଆୟକାରୀ ବର୍ଗର ଲୋକେ ରହୁଛନ୍ତି। ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଉକ୍ତ କଲୋନି ବାସିନ୍ଦାଙ୍କ କ୍ଷେତ୍ରରେ ଲାଗୁ ହେବ। ତେବେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ଚିହ୍ନଟ କରିଥିବା ସୈନିକ ଫାର୍ମ, ମହେନ୍ଦ୍ରୁ ଏନ୍‌କ୍ଲେଭ, ଅନନ୍ତରାମ ଡାଏରୀ ଭଳି ୬୯ଟି ପ୍ରଭାବଶାଳୀ କଲୋନି କ୍ଷେତ୍ରରେ ଏହା ଲାଗୁହେବନି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।

Share