୪୦ବର୍ଷ ପରେ ସରକାରୀ ଜମିରୁ ଜବରଦଖଲ ହଟିଲା

ବାଲେଶ୍ୱର ଅଫିସ,୯।୧-ବାଲେଶ୍ୱର ସଦର ତହସିଲ ଅଧୀନ ଅଙ୍ଗାରଗଡ଼ିଆ ମୌଜାର ୨୭ ଡିସିମିଲ ସରକାରୀ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ୪୦ ବର୍ଷ ଧରି ଏହି ଜମି ଜବରଦଖଲରେ ଥିଲା। ଉକ୍ତ ଅଞ୍ଚଳର କୁନିମଣି ସିଂ ୨୦ ଡିସିମିଲ, ଯଦୁମଣି ମହନ୍ତ ୫ ଡିସିମିଲ ଜବରଦଖଲ କରି ଦୀର୍ଘ ୪୦ବର୍ଷ ଧରି ଉକ୍ତ ଜାଗା ଉପରେ ଘର ତିଆରି କରି ରହିବା ସହ ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଥିଲେ। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ଗୁରୁବାର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଉପସ୍ଥିତିରେ ତହସିଲଦାର ପଞ୍ଚାନନ ପାତ୍ରଙ୍କ ତତ୍ତ୍ୱାବଧାନରେ ମାପଚୁପ କରାଯାଇ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପୋଲିସ ପରିସ୍ଥିତିକୁ ଆୟତ୍ତ କରିଥିବା ତହସିଲଦାର ପାତ୍ର ଜଣାଇଛନ୍ତି।