Categories: ବାଣିଜ୍ୟ

୪ବର୍ଷ ପୁରୁଣା ବିବାଦ;ସମାଧାନ ଲାଗି ଫ୍ରାନ୍ସକୁ ୭୬୦୦କୋଟି ଦେବ ଗୁଗଲ

ପ୍ୟାରିସ୍‌,୧୪-୯: ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ ଫ୍ରାନ୍ସ ସହ ଚାଲିଥିବା ଏକ ପୁରୁଣା ବିବାଦର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହା ଫ୍ରାନ୍ସ ସରକାରଙ୍କୁ ୯୬.୫ କୋଟି ୟୁରୋ ବା ପ୍ରାୟ ୭୬୦୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜି ହୋଇଛି। ଗତବର୍ଷ କମ୍ପାନୀ ଉପରେ ୩୪ ହଜାର କୋଟି ଟଙ୍କାର ଜରିମାନା ଲାଗିଥିଲା। ୨୦୧୧ରୁ ୨୦୧୪ ମଧ୍ୟରେ ଟିକସ ଫାଙ୍କି ସମ୍ପର୍କିତ ମାମଲାରେ କୋର୍ଟରେ ଫ୍ରାନ୍ସ ସହ କମ୍ପାନୀର ସେଟେଲମେଣ୍ଟ ପାଇଁ ସହମତି ହୋଇଛି। ପ୍ୟାରିସର କୋର୍ଟ ଅଫ୍‌ ଅପିଲ ପକ୍ଷରୁ ଗୁଗଲ୍‌କୁ ୫୦ କୋଟି ୟୁରୋ ଏବଂ ୪୬.୫ କୋଟି ୟୁରୋ ଅତିରିକ୍ତ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ରେ ଗୁଗଲ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା। ସେତେବେଳେ କମ୍ପାନୀ ବିରୋଧରେ ଫ୍ରାନ୍ସ ଟିକସ ଫାଙ୍କି ଅଭିଯୋଗ ଅଣାଯାଇଥିଲା। ଇତିପୂର୍ବେ ୟୁରୋପୀୟ ସଂଘ ପକ୍ଷରୁ ପ୍ରତିଯୋଗିତା ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଗଲ ଉପରେ ୧.୪୯ ବିଲିୟନ ୟୁରୋ ଅର୍ଥାତ୍‌ ୧୧୭ ବିଲିୟନ ଟଙ୍କା ଜରିମାନା ଆଦାୟ ଆଦେଶ ଦିଆଯାଇଥିଲା।

Share