Categories: ବାଣିଜ୍ୟ

୩.୩୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ,୫-୨: ବଜେଟ ଘୋଷଣା ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ରେକର୍ଡ ପରିମାଣର ହ୍ରାସ ହୋଇଥିଲା। ମଙ୍ଗଳବାର ଶେୟାର କାରବାର ଉନ୍ନତ ହେବା ସହ ଷ୍ଟକ ବଜାର ସୂଚକାଙ୍କ ୯୧୭ ପଏଣ୍ଟ ବଢିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୩୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୯୧୭.୦୭ ପଏଣ୍ଟ ବା ୨.୩୦% ବଢିବା ସହ କାରବାର ୪୦,୭୮୯.୩୮ ସ୍ତର ଛୁଇଁଛି। ଦିନ ମଧ୍ୟରେ ସେନସେକ୍ସ ୪୦,୮୧୮.୯୪ ପଏଣ୍ଟ ଛୁଇଁବାକୁ ସକ୍ଷମ ହୋଇଥିଲା। ସୋମବାର ଦିନ ସେନସେକ୍ସର ସୂଚକାଙ୍କ ୧୩୬.୭୮ ଏପଣ୍ଟ ବଢିଥିବା ନଜରକୁ ଆସିଥିଲା। କାରବାର ଉନ୍ନତ ହେବା ଯୋଗୁ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୩,୫୭,୦୪୪ କୋଟି ବଢି ୧,୫୬,୬୧,୭୬୯.୪୦ କୋଟି ରହିଛି। ବଜେଟ ଘୋଷଣା ହେବା ପରେ ସେନସେକ୍ସ ୯୮୭.୯୬ ପଏଣ୍ଟ ବା ୨.୪୩% ଖସିବା ସହ କାରବାର ୩୯,୭୩୫.୫୩ ସ୍ତରକୁ ଖସି ଆସିଥିଲା।
ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିବା ଯୋଗୁ ଏହାର ପ୍ରଭାବ ପରିଲକ୍ଷିତ ଆସିଛି। ଦେଶର ଦୀର୍ଘ ମିଆଦି ଅଭିବୃଦ୍ଧିକୁ ସୁହାଇବା ଭଳି ପଦକ୍ଷେପ ବଜେଟରେ ରହିଥିବା ଜାଣି ନିବେଶକ ନିବେଶ ନେଇ ପୁଣି ଥରେ ମନ ବଳାଇଛନ୍ତି ବୋଲି ସାମକୋ ସିକ୍ୟୁରିଟିର ରିସର୍ଚ୍ଚ ମୁଖ୍ୟ ଉମେଶ ମେହେଟା କହିଛନ୍ତି। ଜାନୁୟାରୀରେ ଅଟୋମୋବାଇଲ ଶିଳ୍ପରେ ବିକ୍ରି ଧାରା ଏତେଟା ପ୍ରଭାବିତ ହୋଇନାହିଁ। ଏହା ସ୍ବାଭାବିକ ରହିଥିବା ବେଳେ କୌଣସି ନକାରାତ୍ମକ ଖବର ସାମ୍ନାକୁ ଆସିନାହିଁ। ଏଭଳି ବିଭିନ୍ନ କାରଣ ଲାଗି ହଠାତ ପ୍ରଭାବ ବଜାର ଉପରେ ଦେଖାଯାଇଥିବା ମେହେଟା ସୂଚନା ଦେଇଛନ୍ତି। ରେଲିଗାରେ ବ୍ରୋକିଙ୍ଗର ରିସର୍ଚ୍ଚ ଉପସଭାପତି ଅଜିତ ମିଶ୍ର କହିଛନ୍ତି, ବିଶ୍ୱ ବଜାରରେ ତୈଳ ଦର ହ୍ରାସ ହେବା ଏବଂ ବଜାର ସ୍ଥିତି ଉନ୍ନତ ହେବା ଯୋଗୁ ଏହାର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ସେନସେକ୍ସର ୩୦ ଶେୟାର ମଧ୍ୟରୁ ୨୮ ବଡ କମ୍ପାନୀର କାରବାର ଉନ୍ନତ ସ୍ଥିତିରେ ରହି ବନ୍ଦ ହୋଇଛି। ଏହି କମ୍ପାନୀଗୁଡିକ ମଧ୍ୟରେ ଟାଇଟାନ, ଆଇଟିସି, ଏଚ୍‌ଡିଏଫ୍‌ସି ଏବଂ ବଜାଜ ଫାଇନାନ୍ସ ଭଳି କମ୍ପାନୀ ସାମିଲ ରହିଛନ୍ତି। ପ୍ରାୟ ୧୬୧୮ର କାରବାର ଅତି ଭଲ, ୮୫୫ ମନ୍ଥର ଏବଂ ୧୮୧ର କାରବାର ଅପରିବର୍ତ୍ତିତ ରହିଛି। ବିଏସ୍‌ଇର ମିଡକ୍ୟାପ ସୂଚୀ ୧.୩୭% ଏବଂ ସ୍ମଲ କ୍ୟାପ ସୂଚୀ ୧.୨୯% ବଢିଛି। ପୁଞ୍ଜି ବଜାର ସୂଚକାଙ୍କ ବଢିବାରେ ବିଶ୍ୱ ବଜାରର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ରିଲାଏନ୍ସ ରିଟେଲର ବରିଷ୍ଟ ରିସର୍ଚ୍ଚ ଆନାଲିଷ୍ଟ ବିକାଶ ଜୈନ ସୂଚନା ଦେଇଛନ୍ତି। ଏହି ସମୟରେ ସାଂଘାଇ, ହଂକଂ, ଟୋକିଓ ଏବଂ ସିଓଲ ସମେତ ୟୁରୋପର ପୁଞ୍ଜି ବଜାର କାରବାର ଉନ୍ନତ ରହିଛି।

Share