ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ୩ ଗିରଫ

ଚନ୍ଦ୍ରଗିରି,୩।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ପୋଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ ବେଳେ ରାଇସିଂ ଛକରୁ ୫୯.୫୦୦ କେଜି ଗଞ୍ଜେଇ ବୋଝେଇ ଏକ ବୋଲେରୋ(ଓଡି୦୭କ୍ୟୁ୪୪୫୦) ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଆର୍‌ ଉଦୟଗିରି ଥାନା ଅନ୍ତର୍ଗତ ଜାମଗୁପଡ଼ା ଗାଁର ଇସାକ ମାଝୀ, କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳର ସନ୍ତୋଷ ବିଶ୍ବାଳ ଓ ରାୟଗଡ଼ା ଜିଲା ପଦ୍ମପୁର ଥାନା ସୁନ୍ଦରିଗୁଡା ଗାଁର କବି ବିଡିକା।
ପ୍ରକାଶ ଯେ, କୌଣସି ସୂତ୍ରରୁ ଖବର ପାଇ ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ପୋଲିସ ପକ୍ଷରୁ ପାଟ୍ରୋଲିଂ ସହ ରାଇସିଂ ଛକରେ ବ୍ଲକିଂ କରାଯାଇଥିଲା । ଏହି ସମୟରେ ପୋଲିସ ଉକ୍ତ ବୋଲେରୋକୁ ସନ୍ଦେହକରି ଯାଞ୍ଚ କରିବାରୁ ଗଞ୍ଜେଇ ଚାଲାଣ ହେଉଥିବା ଧରାପଡ଼ିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ଏହି ଗଞ୍ଜେଇ କେନ୍ଦୁଗୁଡାରୁ ବ୍ରହ୍ମପୁର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡିଥିବା ସୂଚନା ଦେଇଛନ୍ତି ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ।