Categories: ଖେଳ

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ ବେଟିସ୍‌କୁ ୨-୦ ଗୋଲରେ ପରାସ୍ତ କରିଛି। କୋଡିଡ-୧୯ କାରଣରୁ ମାର୍ଚ୍ଚ ମାସରୁ ସ୍ଥଗିତ ରହିଥିଲା। ଏହାପୂର୍ବରୁ ଜର୍ମାନୀର ଜଣାଶୁଣା ଫୁଟବଲ ଲିଗ୍ନ ବଣ୍ଡେସ୍‌ଲିଗା ମଧ୍ୟ ଆରମ୍ଭ ହୋଇଛି। ଏହାପରେ ଇଂଲଣ୍ଡର ପ୍ରିମିୟର ଲିଗ୍‌ ଓ ଇଟାଲୀଆନ୍‌ ଲିଗ୍‌କୁ ଆରମ୍ଭ କରିବାକୁ ପ୍ରସ୍ତୁତି ଜାରି ରହିଛି।
ସେବିଲା ଓ ରିୟଲ ବେଟିସ୍‌ ମଧ୍ୟରେ ଖେଳାଳଯାଇଥିବା ମ୍ୟାଚ୍‌ରେ ସରକାରଙ୍କ ସବୁ ନିର୍ଦ୍ଦେଶନାମାକୁ ପାଳନ କରାଯାଇଥିଲା। ସୁରକ୍ଷା ଓ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ସେବିଲା ତଫରୁ ଲୁକାସ ଓକାମ୍ପୋସ ପେନାଲ୍ଟି ଜରିଆରେ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ୬୨ତମ ମିନିଟ୍‌ରେ ଫର୍ଣ୍ଣାଣ୍ଡୋ ଗୋଲ ଦେଇ ସେବିଲାକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅନ୍ୟପଟେ ରିୟଲ ବେଟିସ୍‌ ତରଫରୁ ଗୋଟିଏ ହେଲେ ବି ଗୋଲ ସ୍କୋର କରାଯାଇ ନ ଥିଲା। ସେବିଲା ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ୪୩,୦୦୦ କ୍ଷମତା ବିଶିଷ୍ଟ ରାମୋନ ସାଞ୍ଚେଜ୍‌ ପିଜଜୁଆନ୍‌ ଷ୍ଟାଡିୟମରେ ଦର୍ଶକ ଅନୁପସ୍ଥିତ ଥିଲେ। ତେବେ ଟେଲିଭିଜନ୍‌ରେ ଦର୍ଶକ ଏହି ମ୍ୟାଚ୍‌କୁ ଉପଭୋଗ କରିଥିଲେ।

Share