୩ କୋଟି ପାର ହେଲା ସଲମାନଙ୍କ ଫଲୋୟର୍ସଙ୍କ ସଂଖ୍ୟା: ଭିନ୍ନ ଢଙ୍ଗରେ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କର ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ଫିଲ୍ମ ହେଉ ଅବା ସୋସିଆଲ ମିଡିଆ ଆକାଉଣ୍ଟ ସବୁଠି ଦେଖିବାକୁ ମିଳେ ସଲମାନଙ୍କ ବହୁ ପ୍ରଶଂସକଙ୍କୁ। ଏବେ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା ୩ କୋଟି ପାର ହୋଇଛି। ଏହାକୁ ଦେଖିବା ପରେ ସେ ଭିନ୍ନ ଢଙ୍ଗରେ ତାଙ୍କ ଫଲୋୟର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଥମେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ସେ ପ୍ରଥମେ ତାଙ୍କ ପ୍ରଶଂସକଙ୍କୁ ସାଲ୍ୟୁଟ କରୁଛନ୍ତି ପରେ ହାତଯୋଡି ଧନ୍ୟବାଦ ଜଣାଉଛନ୍ତି। ଆଉ ଶେଷରେ ତାଙ୍କ ଷ୍ଟାଇଲରେ କହୁଛନ୍ତି, ‘ଉଇ ମା… ୩୦ ମିଲିୟନ, ଆପ ସଭିକୋ ଥ୍ୟାଙ୍କ ୟୁ’। ଫଟୋ ଶେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅଧିକ ଫଲୋୟର୍ସ ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି। ତାଙ୍କର ୫୦.୮ ମିଲିୟନ ଫଲୋୟର୍ସ ରହିଥିବା ବେଳେ ତାଙ୍କ ପଛକୁ ଅଛନ୍ତି ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କାଙ୍କ ଫଲୋୟର୍ସଙ୍କ ସଂଖ୍ୟା ରହିଛନ୍ତି ୫୦ ମିଲିୟନରୁ ସାମାନ୍ୟ ଅଧିକ। ସେମିତି ଦୀପିକା ପାଦୁକୋନଙ୍କର ୪୪.୬ ମିଲିୟନ ଫଲୋୟର୍ସ ଥିବା ବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛନ୍ତି ପ୍ରାୟ ୩୫.୧ ମିଲିୟନ ଫଲୋୟର୍ସ।

Share