୩ ଅସୁସ୍ଥ ଯାଯାବର ଶିଶୁଙ୍କ ଚିକିତ୍ସା କରାଗଲା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ର ମହିଳା ଡାକ୍ତର ସୁସ୍ମିତା ଦାଶ ୩ ଯାଯାବର ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଇଛନ୍ତି । ଏହା ସହିତ ଶିଶୁଙ୍କ ଖାଇବା ପାଇଁ ସେ ମାସକ ପାଇଁ ଗୁଣ୍ଡ ଦୁଗ୍ଧ ମଧ୍ୟ ଯୋଗାଇ ଦେଇଛନ୍ତି । ଡା. ଦାଶଙ୍କ ଏଭଳି ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, ଯାଯାବର ଜୀବନଯାପନ କରୁଥିବା ଉତ୍ତର ପ୍ରଦେଶର ୬୦ଜଣ ଏଠାକୁ ଆସି ଫସି ରହିଛନ୍ତି । ସେମାନଙ୍କ ପାଖରେ ୩ଶିଶୁ ରହିଛନ୍ତି । ବରଗଡ଼ ରେଳଷ୍ଟେଶନ ପାଖ ଏକ ପଡ଼ିଆରେ ତମ୍ବୁ ଟାଣି ସେମାନେ ରହୁଛନ୍ତି । ସୋମବାର ସ୍ଥାନୀୟ ସାମାଜିକ କର୍ମୀ ମହମ୍ମଦ ଅଲିମ, ଭବାନୀ ପ୍ରସାଦ ସାହୁ, ପବିତ୍ର ଦେହେରୀ, ରମେଶ ମହାପାତ୍ର, ଗୁରୁପ୍ରୀତ ସିଂ ପ୍ରମୁଖ ସମ୍ପୃକ୍ତ ଯାଯାବରଙ୍କୁ ଭେଟି ଶୁଖାଖାଦ୍ୟ ଯୋଗାଇ ଦେଇଥିଲେ । ସେତେବେଳେ ସେଠାରେ ୩ଶିଶୁ ଅସୁସ୍ଥ ରହିଥିବା ଜାଣିବାକୁ ପାଇଥିଲେ । ଏହାପରେ ସାମାଜିକ କର୍ମୀ ଅଲିମ ଡା. ଦାଶଙ୍କୁ ସୂଚନା ଦେଇଥିଲେ । ସମ୍ପୃକ୍ତ ଶିଶୁମାନଙ୍କୁ ତାଙ୍କ ପାଖକୁ ଆଣିବାକୁ ଡା. ଦାଶ କହିଥିଲେ । ଏହାପରେ ଅଲିମ ମଙ୍ଗଳବାର ଏକ ଅଟୋରେ ଶିଶୁମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ସହିତ ଧରି ଡା. ଦାଶଙ୍କ ପାଖକୁ ଆଣିଥିଲେ । ଡା. ଦାଶ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ସାମାଜିକ କର୍ମୀ ସବିତା ମଲ୍ଲିକ, ସଞ୍ଜୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।