Categories: ଜାତୀୟ

‘୩୭୦, ସିଏଏ ନିଷ୍ପତ୍ତି ଠିକ୍‌’

ବାରାଣସୀ,୧୭ା୨ (ପି.ଟି.): ସମ୍ବିଧାନର ଧାରା ୩୭୦ ଓ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ ଆଡ଼ୁ ଚାପ ବଢ଼ୁଥିଲେ ହେଁ ସରକାର ଦୃଢ଼ ଥିବା ସେ କହିଛନ୍ତି। ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଠିକ୍‌ ଓ ଏଥିରୁ ଓହରିବାର ନାହିଁ ବୋଲି ନିଜ ନିର୍ବାଚନମଣ୍ଡଳୀ ବାରାଣସୀରେ ମୋଦି ସ୍ପଷ୍ଟ କରିଛନ୍ତି। ଦୀର୍ଘବର୍ଷ ଧରି ଦେଶ ଏଭଳି ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିଲା ବୋଲି ଜନସଭାକୁ ସମ୍ବୋଧନ କରି ସେ ପ୍ରକାଶ କରିଛନ୍ତି। ଦେଶ ହିତ ଲାଗି ଏଭଳି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ଅଗଷ୍ଟରେ ସମ୍ବିଧାନର ଧାରା ୩୭୦କୁ ହଟାଇ ଦିଆଯିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ କରାଗଲା। ଏହା ପରେ ସିଏଏକୁ ସ୍ବୀକୃତି ମିଳିଲା। ବହୁ ଜଟିଳ ପରିସ୍ଥିତି ସତ୍ତ୍ୱେ ଦେଶ ହିତ ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାବାଦ୍‌ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନ କରାଯାଇଛି। ଏହି ଟ୍ରଷ୍ଟ ଯୁଦ୍ଧକାଳୀନ ଭାବେ କାର୍ଯ୍ୟାରମ୍ଭ କରିବ। ଟ୍ରଷ୍ଟକୁ ୬୭ ଏକର ଜମି ପ୍ରଦାନକରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବରୁ ମୋଦି ରବିବାର ନିଜ ନିର୍ବାଚନମଣ୍ଡଳୀରେ ୧,୨୫୪ କୋଟି ଟଙ୍କାର ୫୦ଟି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ଏଥିସହ ‘ଆଇଆର୍‌ସିଟିସି’ର ମହାକାଳ ଏକ୍ସପ୍ରେସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଟ୍ରେନ ୩ ଜ୍ୟୋତିର୍ଲିଙ୍ଗକୁ ଯୋଡ଼ିବ। ଉତ୍ତରପ୍ରଦେଶର ବାରାଣସୀ, ମଧ୍ୟପ୍ରଦେଶର ଉଜ୍ଜୟିନୀ ଓ ଓକାରେଶ୍ୱରକୁ ଏକାଠି ବାନ୍ଧି ରଖିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମୃତିକେନ୍ଦ୍ର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗକରିବା ସହ ଆର୍‌ଏସ୍‌ଏସ୍‌ର ଆଦର୍ଶଙ୍କ ୬୨ ଫୁଟର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏଥିସହ ୪୩୦ ଶଯ୍ୟାବିଶିଷ୍ଟ ସୁପରସ୍ପେଶିଆଲିଟି ସରକାରୀ ହସ୍ପିଟାଲକୁ ମଧ୍ୟ ସେ ଉଦ୍‌ଘାଟନ କରିଥିଲେ। ଦମାମୀ ଗଙ୍ଗେ କାର୍ଯ୍ୟକ୍ରମର ସଫଳତାକୁ ସେ ପ୍ରଶଂସାକରିବା ସହ ପୁଣି ୨୧ ହଜାର କୋଟି ଟଙ୍କାର କାର୍ଯ୍ୟ କରାଯିବ ବୋଲି କହିଥିଲେ।

Share